ପୁରୀ(ଓଡ଼ିଆ ନ୍ୟୁଜ୍): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରଥ ସମନ୍ବୟ କମିର ଆଜି ବୈଠକ ବସିବ। ରଥଯାତ୍ରା ପାଇଁ ସବୁ ବିଭାଗ ଗୁଡ଼ିକ କିଭଳି ନିଜର ପ୍ରସ୍ତୁତି କରିଛନ୍ତି ତାହାର ହେବ ସମୀକ୍ଷା । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ୨୩୬ ସିସିଟିଭି କ୍ୟାମେରା ଲାଗିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସିସିଟିଭି କ୍ୟାମେରା ଗୁଡିକରେ ପ୍ରୋଗ୍ରାମିଙ୍ଗ କରାଯିବ। ସେହିପରି ବିନା ଭକ୍ତରେ ଓ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ପାଇଁ ଦୁଇଟି ପ୍ଲାନ୍ ପ୍ରସ୍ତୁତ ହୋଇଛି। ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏଥି ପାଇଁ ରହିଥିବା ଚାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ, ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯିବ।
ପୂର୍ବରୁ ମଇ ୫ ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ବସିଥିଲା। ଏଥର କୋଭିଡ ସ୍ଥିତି ସ୍ବଭାବିକ ରହିଲେ ଦେଢ଼ ଗୁଣା ଅଧିକ ଅର୍ଥାତ୍ ୧୨ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।