ନାବାଳିକାଙ୍କୁ ୪ବର୍ଷ ହେବ ଯୌନ ଶୋଷଣ କରିଥିବା କନେଷ୍ଟବଳ ଗିରଫ, ଶାରୀରିକ ସମ୍ପର୍କ ବେଳେ କରିଥିଲା ଅଶ୍ଲୀଳ ଭିଡିଓ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କମିଶନ୍‌ରେଟ ପୁଲିସର ଜଣେ କନ୍‌ଷ୍ଟେବଲଙ୍କ କଳାକାରନାମା ପଦାକୁ ଆସିଛି ।  ନାବାଳିକାଙ୍କୁ ୪ବର୍ଷ ହେବ ସେ ଯୌନ ଶୋଷଣ କରିବା ସହ ତାଙ୍କର ଅଶ୍ଲୀଳ ଭିଡିଓ ରଖି ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଥିଲା । ମହିଳା ଥାନା ପୁଲିସ ଏହି ଘଟଣାରେ ସଂପୃକ୍ତ କନ୍‌ଷ୍ଟେବଲଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରଜନୀକାନ୍ତ ଗମାଙ୍ଗୋ(୩୫) । ସେ ଲିଙ୍ଗରାଜ ଥାନା ଅଧିନରେ କାମ କରୁଥିଲେ । ତାଙ୍କୁ ସାଇଣ୍ଟିଫିକ କର୍ମଚାରୀ ଭାବେ ଥାନାରେ ଦାୟିତ୍ୱ ଦିଆଯାଇଥିଲା । ଗିରଫ ପରେ ଅଭିଯୁକ୍ତଙ୍କ ନାମରେ ଆଇପିସିର ବିଭିନ୍ନ ଦଫା ଓ ପୋକ୍ସ ଆଇନରେ ମାମଲା ରୁଜୁ କରାଯାଇ ତାଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି ।

ପୀଡ଼ିତା ନାବାଳିକାଙ୍କ ସିଆର୍‌ପିସି ୧୬୧ ଏବଂ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ୧୬୪ ସିଆର୍‌ପିସି ଧାରାରେ ବୟାନ ରେକର୍ଡ ହୋଇଛି । ଏଥିସହ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି । ନାବାଳିକା ଜଣକ ବର୍ତ୍ତମାନ ଏକ କଲେଜର ଯୁକ୍ତ-୨ ପ୍ରଥମ ବର୍ଷର ଛାତ୍ରୀ । ଏନେଇ ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, ପୀଡ଼ିତା ନାବାଳିକା ଜଣକ ସୁରକ୍ଷିତ ଅଛନ୍ତି । ସେ ବର୍ତ୍ତମାନ ପରିବାରର ସହ ଅଛନ୍ତି । ତାଙ୍କୁ ଚାଇଲ୍ଡଲାଇନ ପକ୍ଷରୁ କାଉନସେଲିଂ କରାଯାଉଛି । ଏନେଇ ଖୋର୍ଦ୍ଧା ଡିସିପିଓ ଏବଂ ଅତିରିକ୍ତ ସିଡବ୍ଲ୍ୟୁସିଙ୍କୁ ଅବଗତ କରାଯାଇଛି ।

ସୂଚନା ଅନୁଯାୟୀ, କନ୍‌ଷ୍ଟେବଲ ରଜନୀକାନ୍ତଙ୍କ ଘର ଗଜପତି ଜିଲା ରାୟଗଡ଼ା ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ଘର ନିକଟରେ ରଜନୀକାନ୍ତଙ୍କ ସମ୍ପର୍କୀୟ ରହୁଛନ୍ତି । ରଜନୀକାନ୍ତ ସେଠାକୁ ଯିବା ସମୟରେ ୪ବର୍ଷ ତଳେ ଉକ୍ତ ନାବାଳିକାଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା । ସେତେବେଳେ ନାବାଳିକାଙ୍କୁ ୧୩ ବର୍ଷ ହୋଇଥିଲା । କନ୍‌ଷ୍ଟେବଲ ରଜନୀକାନ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ସମୟରେ କନ୍‌ଷ୍ଟେବଳ ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରି ତାହାକୁ ନିଜ ମୋବାଇଲରେ ରଖିଥିଲେ । ୨୦ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ତିକ୍ତତା ସୃଷ୍ଟିହୋଇଥିଲା । ଫଳରେ ନାବାଳିକା ଜଣକ ତାଙ୍କଠୁ ଦୂରେଇବା ଆରମ୍ଭ କରିଥିଲେ । ଏହି କାରଣରୁ ତାଙ୍କର ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଛାଡ଼ିଦେବାକୁ କନ୍‌ଷ୍ଟେବଲ ରଜନୀକାନ୍ତ ତାଙ୍କୁ ଧମକ ଦେଇ ବ୍ଲାକମେଲିଂ କରୁଥିଲେ ।

ଉକ୍ତ ଭିଡିଓ ଡିଲିଟ୍ କରିବା ପାଇଁ ନାବାଳିକାଙ୍କୁ ସେ ୫୦ହଜାର ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ନାବାଳିକାଙ୍କ ସାଙ୍ଗମାନଙ୍କୁ ଉକ୍ତ ଭିଡିଓକୁ ରଜନୀକାନ୍ତ ଦେଖାଇ ଦେଇଥିଲେ । ନାବାଳିକା ଜଣକ ଅତିଷ୍ଠ ହୋଇ ସାଙ୍ଗମାନଙ୍କ ସହ ଏହି ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସାଙ୍ଗଙ୍କ ପରାମର୍ଶରେ ସେ ଚାଇଲ୍ଡଲାଇନକୁ ଏ ସମ୍ପର୍କରେ ଜଣାଇଥିଲେ । ଚାଇଲ୍ଡଲାଇନର ସହଯୋଗରେ ନାବାଳିକା ଜଣକ ମଙ୍ଗଳବାର ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ଡିସିପି ଏବଂ ଜୋନ୍ ଏସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ରଜନୀକାନ୍ତଙ୍କୁ ଡ୍ୟୁଟି ସମୟରେ ଗିରଫ କରିଥିଲେ ।

Leave A Reply

Your email address will not be published.