ହାଇକୋର୍ଟଙ୍କ ନିର୍ଦ୍ଦେଶ: କୌଣସି ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେଇ ହେବ ନାହିଁ
ଓଡିଆ ନ୍ୟୁଜ୍(ବ୍ୟୁରୋ): କୌଣସି ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେଇ ହେବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓଡିଶା ହାଇକୋର୍ଟ ପ୍ରଦାନ କରିଛନ୍ତି। ଭୁବନ ମୋହନ ବେହେରା ନାମକ ଜଣେ ଆବେଦନକାରୀଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ଡିଗ୍ରୀ ହାସଲ କରିଥିଲେ, ନିଯୁକ୍ତି ସମୟରେ ତାଙ୍କର ପ୍ରାର୍ଥୀପତ୍ରକୁ ମନଇଚ୍ଛା ନାକଚ କରି ହେବ ନାହିଁ। ଓଡିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା।
ଭୁବନ ମୋହନ ବେହେରା ଆଇଆଇଟି ବମ୍ବେରୁ ଏମଏସସି ଓ ପିଏଚଡି ଡୁଆଲ ଡିଗ୍ରୀ ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପ୍ରକାଶିତ ୟୁନିଭରସିଟି ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ସେ ଆବେଦନ କରିଥିଲେ। ଏମଏସସି ଓ ପିଏଚଡିର ତାଙ୍କ ନିକଟରେ ଗୋଟିଏ ମାର୍କସିଟ ସାର୍ଟିଫିକେଟ ଥିଲା। ତାକୁ ଦେଇ ସେ ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଆବେଦନ କରିଥିଲେ। ଆବେଦନ ପତ୍ର ଗ୍ରହଣ ମଧ୍ୟ ହୋଇଥିଲା। କିନ୍ତୁ ସାର୍ଟିଫିକେଟ ଭେରିଫିକେସନ ସମୟରେ ଓପିଏସସି ପକ୍ଷରୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରି ଦିଆଯାଇଥିଲା। ଏହାକୁ ସେ ଓଡିଶା ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଏଭଳି ଡୁଆଲ ଡିଗ୍ରିଧାରୀଙ୍କ ପ୍ରାର୍ଥୀପତ୍ରକୁ ନିଯୁକ୍ତି ପ୍ରଦାନ ସମୟରେ ମନଇଚ୍ଛା ନାକଚ କରିହେବ ନାହିଁ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।