ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO: ଖଣି ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ SDPO ମଳୟ ନାୟକଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ଧରାପଡ଼ିଲେ SDPO । ତାଙ୍କ ସରକାରୀ ଗାଡ଼ିରୁ ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏସଡିପିଓ ମଳୟ ନାୟକ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନଗଦ ଓ ଫୋନ ପେ’, ଗୁଗଲ ପେ’ ଓ ଏଟିଏମରେ ଡିପୋଜିଟ ଆକାରରେ ଲାଞ୍ଚ ନେଇଥିବା କୁହାଯାଉଛି । ଏହାଉପରେ ସାଇବର ସେଲ୍‌ ଓ ଭିଜିଲାନ୍‌ସ ବ୍ୟାଙ୍କିଂ କନସଲଟାଣ୍ଟ ଟିମ୍‌ ଖୋଳତାଡ଼ ଚଳାଇଛନ୍ତି ।

ପୁରୀ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ରେଡର କିଛି ସମୟ ପୂର୍ବରୁ ହିନ୍ଦୋଳ ସ୍ଥିତ ସରକାରୀ ବାସଭବନରୁ ତାଙ୍କ ପତ୍ନୀ ରୀତା ମହାପାତ୍ର ଏକ ବ୍ରିଫକେସ ଓ ଏକ ବ୍ୟାଗ ଧରି ତରବରରେ ପଳାଇଥିଲେ । ବ୍ରିଫକେସ ଓ ବ୍ୟାଗରେ କଣ ନେଇ ପଳାଇଛନ୍ତି ଜଣାପ଼ଡ଼ିନାହିଁ । ରୀତା ମହାପାତ୍ରଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି ଭିଜିଲାନ୍‌ସ । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଜିଲାନ୍‌ସ ଟିମ୍‌ ବାସଭବନରେ ଯାଞ୍ଚ କରିଛି । ଅନୁଗୁଳ ଅମଲାପଡ଼ାରେ ତାଙ୍କର ଏକ ଦ୍ୱିମହଲା କୋଠା, ସମ୍ବଲପୁର ଧନୁପାଲିରେ ଦି ତାଲା କୋଠା, ଭୁବନେଶ୍ୱରରେ ଫ୍ଲାଟ, ପୁରୀରେ ଫ୍ଲାଟ ଓ ସମ୍ବଲପୁରରେ ଏକ ପ୍ଲଟ ଠାବ ହୋଇଛି । ତାଙ୍କର ବ୍ୟାଙ୍କ, ଇନସ୍ୟୁରାନ୍‌ସ ଆଦିର ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.