ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଜୁଲାଇ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସିକିଲ୍ ସେଲ୍ ଏନିମିଆ ରୋଗର ଦୂରୀକରଣ କରାଯିବ। ଜୁଲାଇ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ରୋଗର ଦୂରୀକରଣ ଉପରେ ଏକ ମିସନ୍ ଆରମ୍ଭ କରାଯିବ । ମଧ୍ୟପ୍ରଦେଶ ରାଜ୍ୟର ସାହାଦୋଳ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଏହି ମିସନ୍ର ଶୁଭାରମ୍ଭ କରିବେ ।
ଦେଶର ୧୬ଟି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ)ମାନେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମୋଡ୍ରେ ବା ଆଭାସୀରେ ଯୋଡି ହେବେ । ଯେଉଁ ୧୬ଟି ରାଜ୍ୟରେ ଏହି ମିସନ୍ ଆରମ୍ଭ କରାଯିବାକୁ କାର୍ଯ୍ୟକ୍ରମ ରହିଛି ସେଥିରେ ଓଡ଼ିଶା ସାମିଲ ଅଛି । ରାଜ୍ୟରେ ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ରହିଛି ।
ଓଡ଼ିଶାର ୩୦ ଜିଲ୍ଲାର ସିଡିଏମ୍ଓମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସିଡିଏମ୍ଓ ମାନଙ୍କ ସହିତ ସ୍ଥାନୀୟ ଏମ୍ପି, ଏମ୍ଏଲ୍ଏ ମାନେ ମଧ୍ୟ ଯୋଡି ହେବେ ।
ଶନିବାର ଅପରାହ୍ନ ୩ଟା ୩୦ରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ କଟକ ଏମ୍ପି ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରମୁଖ ଯୋଗ ଦେବେ ବୋଲି ସିଡିଏମ୍ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି ।
ଅଭିଯାନ ଅଧୀନରେ ୦ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କଠାରେ ସିକଲ୍ ସେଲ୍ ରୋଗ ଲକ୍ଷଣ ଥିଲେ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ।