ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍ ।  ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ଆମଲାଙ୍ଗ ଗାଁର ବୁଲାଣିରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଏପରି ମୁହାଁମୁହିଁ ଧକ୍କା ହୋଇଛି । ଶ୍ରୀରାମଜୀ ନାମକ ଘରୋଇ ବସ (ଓଡି-୦୧- ୟୁ-୭୮୮୯) ବରଗଡ଼ରୁ ବାହାରି ସମ୍ବଲପୁର ଦେଇ ବାଲେଶ୍ବର ଯାଉଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଜମନକିରା ଥାନାଠାରୁ ୬ କିମି ଦୂର ଆମଲାଙ୍ଗ ବୁଲାଣିରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ (ଓଡି-୦୯-କ୍ୟୁ-୨୯୯୪) ସହ ବସ୍‌ର ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜମନକିରା ଡାକ୍ତରଖାନାକୁ ନେଇଥିଲେ । ଗୁରୁତରଙ୍କ ମଧ୍ୟରେ ବସର ହେଲପରଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ତେବେ ଅନ୍ୟ ଆହତମାନଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରି ତଦନ୍ତ କରୁଛି l ଏହି ଦୁର୍ଘଟଣାରେ ୭ ଜଣ ବସ୍ ଯାତ୍ରୀ ଗୁରୁତର ଓ ୨୦ ଜଣ ସାମାନ୍ୟ ଆହତ ହୋଇଛନ୍ତି l କିଛି ଗୁରୁତରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.