ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଚମାଖଣ୍ଟି ଥାନା ନରେନ୍ଦ୍ରପୁର ଛକରେ ଘଟିଛି ଏହି ଲୁଟି ଘଟଣା। ଲୁଟ୍‌ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବାଇକ ରଖି ଜଳଖିଆ ଖାଉଥିବା ବେଳେ ଲୁଟ୍‌ର ଶିକାର ହେଲେ ବ୍ୟବସାୟୀ।

ସୂଚନା ମୁତାବକ, ଆଜି ସକାଳେ ଅଳଙ୍କାର ବ୍ୟବସାୟୀ ଜଣଙ୍କ ରାସ୍ତାକଡ଼ରେ ନିଜର ଲୁନା ଗାଡି ରଖି ଜଳଖିଆ ଖାଉଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ଲୁଟେରା ଆସି ଗାଡ଼ି ଡିକି ଭାଙ୍ଗି ଅଳଙ୍କାର ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ପରେ ବ୍ୟବସାୟୀ ଜଣଙ୍କ ଜଳଖିଆ ଖାଇ ସାରି ଗାଡ଼ି ପାଖରେ ପହଞ୍ଚିଲା ବେଳକୁ ଡିକି ଭଙ୍ଗାଯାଇଥିବା ଦେଖିଥିଲେ। ଏଥିସହ ତାଙ୍କ ଅଳଙ୍କାର ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ।

ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାସ୍ତାକଡ଼ରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଦୁଇ ଦୁର୍ବୃତ୍ତ ଡିକି ଭାଙ୍ଗି ଅଳଙ୍କାର ନେଇଯାଇଥିବା ଜଣାପଡ଼ିଥିଲା।ବ୍ୟାଗରେ ୭ଲକ୍ଷ ଟଙ୍କାର ରୁପା ଅଳଙ୍କାର ରହିଥିବା ସୂଚନା ରହିଛି। ସିସିଟିଭିକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି।

Comments are closed.