ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼; ବିଲ୍‌ବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାୟାନଗରୀ ମୁମ୍ବାଇରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼।ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧିପାଇଛି।

ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି। ତେବେ ସୂଚନା ମୁତାବକ, ଗତକାଲି ମୁମ୍ବାଇ ଆକାଶରେ ହଠାତ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। କେହି କିଛି ବୁଝିବା ଆଗରୁ ଧୂଳିଝଡ଼ରେ ଅନ୍ଧକାରମୟ ହୋଇଯାଇଥିଲା ପୂରା ପରିବେଶ। ଏହି ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍‌ବୋର୍ଡ ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ।

ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବ୍ରୁହାନ୍‌ ମୁମ୍ବାଇର ମ୍ୟୁନିସିପାଲର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ସେମାନଙ୍କୁ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪୩ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ‘‘ମୁମ୍ବାଇର ଘାଟକୋପର ଅଞ୍ଚଳରେ ହୋର୍ଡିଂ ପଡ଼ିବା ରୁ ଅନେକ ଲୋକଙ୍କ ଜୀବନ ଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସଫଳତା କାମନା କରୁଛି’’ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.