ସୁସ୍ଥ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ, ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାସ ହତ୍ୟା ଯୋଜନାବଦ୍ଧ । ସୁସ୍ଥ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ । ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ଠାରୁ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରୁଥିଲା ଗୋପାଳ । ସେଥିପାଇଁ ସେ ସୁଚିନ୍ତିତ ଭାବେ ଯୋଜନା କରି ନବଙ୍କୁ ହତ୍ୟା କରିଛି । ଆଜି କ୍ରାଇମବ୍ରାଞ୍ଚ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ଏହା ଉଲ୍ଲେଖ ରହିଛି । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ନାଁରେ ଝାରସୁଗୁ଼ଡା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଛି । କ୍ରାଇମ୍‌ବ୍ରାଞ୍ଚ DSP ରମେଶ ଦୋରା ଝାରସୁଗୁଡ଼ା JMFC କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛନ୍ତି ।

ଚାର୍ଜସିଟ୍‌ରେ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା । ଏଥିସହ ବ୍ରଜରାଜନଗର ଆଇଆଇସି ପି.କେ ସ୍ୱାଇଁ ଓ ଅନ୍ୟ ଜଣେ ଜୀବନ ଦାସଙ୍କୁ ହତ୍ୟା ଉଦ୍ୟମ କରିଥିଲା ଗୋପାଳ । ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ୧୦ଟି ଟିମ ଗଠନ କରିଥିଲା । ତଦନ୍ତକାରୀ ଟିମ୍‌ ଝାରସୁଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଜ୍ୟ ବାହାରକୁ୍‌ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରିଥିଲେ । ତଦନ୍ତ କାଳରେ ୮୯ଜଣଙ୍କ ସାକ୍ଷ୍ୟ ନିଆଯାଇଛି । ବନ୍ଧୁକ, ଗୁଳି, ଖୋକା ଜବତ କରାଯାଇଛି । ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ହତ୍ୟାରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । ଏଥିରେ ଗୋପାଳକୁ ଅନ୍ୟ କେହି ସହଯୋଗ କରିନାହାନ୍ତି ।

LVA, ପଲିଗ୍ରାଫ ଓ ନାର୍କୋ ଟେଷ୍ଟରେ ଏହା ଗୋପାଳ ସ୍ୱୀକାର କରିଛି । ଗୋପାଳ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିଲା । ସେ ତଦନ୍ତ ସମୟରେ ସବୁ ପ୍ରଶ୍ନର ଠିକ ଭାବେ ଉତ୍ତର ଦେଇଥିଲା । ତଦନ୍ତ ବେଳେ ପରିବାର ଲୋକେ ଗୋପାଳ ଦାସର ବହୁ ପୂର୍ବରୁ ବାଇପୋଲାର ଡିଜଅର୍ଡର ଥିବା କହିଥିଲେ । ଏହାକୁ ସ୍ପଷ୍ଟ କରିବା ପାଇଁ DMETଙ୍କ ଅଧିନରେ ଏକ ଡାକ୍ତରୀ ବୋର୍ଡ ଗଠନ କରାଯାଇଥିଲା । ହେଲେ ଡାକ୍ତରୀ ପରୀକ୍ଷାରେ ସେଭଳି କିଛି ଜଣାପଡ଼ିନାହିଁ । ଗୋପାଳ ବିରୋଧରେ ଆଇପିସିର ଧାରା ୩୦୭, ୩୦୨, ୨୭ ଆର୍ମସ ଆକ୍ଟ ଲାଗିଛି ।.

Leave A Reply

Your email address will not be published.