ଦାଣ୍ଡରେ ପଡି ହାଟରେ ଗଡୁଛି ରାଜାଘର କଳି, କ୍ୟାମେରା ଆଗରେ ଗୋଟିଗୋଟି ସବୁ କଥା ବଖାଣିଲେ ଅଦ୍ରିଜା ମଂଜରୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବଲାଙ୍ଗୀର ରାଜାଘର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ସାନବୋହୂ ଅଦ୍ରିଜା ମଂଜରୀ ସର୍ବସାଧାରଣରେ ଖୋଲିଛନ୍ତି ପୂରା ଗୁମର।  ସବୁ ପରିସ୍ଥିତି କାରଣ ତାହା ଗଣମାଧ୍ୟମ କ୍ୟାମେରା ଆଗରେ ଗୋଟି ଗୋଟି ବଖାଣିଛନ୍ତି। ରାଜ ପରିବାରର ୫ ଜଣଙ୍କ ନାଁରେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ଡେରାଡୁନ୍‌ର ରାଜପୁତ ରୋଡ୍‌ ଥାନାରେ ଏତଲା ଦେଇଥିବା କହିଛନ୍ତି।

ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ, ଶାଶୂ ବିଜୟଲକ୍ଷ୍ମୀ ସିଂହଦେଓ, ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂହଦେଓ ଓ ସ୍ବାମୀ ଅର୍କେଶ ସିଂହଦେଓଙ୍କ ନାଁରେ ଥାନାରେ ଲିଖିତ ଭାବରେ ଦେଇଥିବା କହିଛନ୍ତି। ଅନ୍ୟପଟେ ଘଟଣା ସାମ୍ନାକୁ ଆସିବା ପରେ ଅର୍କେଶ ପତ୍ନୀଙ୍କ ସବୁ ଅଭିଯୋଗ ମିଥ୍ୟା ବୋଲି କହିବା ସହ ଗଣମାଧ୍ୟମ ଆଗରେ ଘଟଣା ସଂପର୍କରେ କହିଛନ୍ତି। ସୋମବାର ଅଦ୍ରିଜାଙ୍କ ଅଭିଯୋଗ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆସିଥିଲା। ଆଜି ସେ ବିଭିନ୍ନ ଗଣମାଧ୍ୟରେ କହିଛନ୍ତି, ତାଙ୍କ ଶ୍ୱଶୁରଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ।

ଏ ନେଇ ସେ ଉତ୍ତରାଖଣ୍ଡ ଡେରାଡୁନର ରାଜପୁତ୍‌ ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କିନ୍ତୁ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ସେ ଭେଟିଥିବା କହିଛନ୍ତି। ଘଟଣାକୁ ନେଇ ଅଦ୍ରିଜା କହିଛନ୍ତି, ବିବାହ ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ଛୋଟବଡ଼ ସମସ୍ୟା ସେମିତି ହୋଇଥାଏ। କିନ୍ତୁ କୌଣସି ବଡ଼ ସମସ୍ୟା ହୋଇନଥିଲା।

ତଥାପି ଗତ ଅଗଷ୍ଟ ମାସରେ ଅର୍କେଶ ଛାଡ଼ପତ୍ର ମାଗିଥିଲେ। ମ୍ୟୁଚୁଆଲରେ ଡିଭୋର୍ସ ଚାହୁଁଥିଲେ। ସେ ସମୟରେ ଅଦ୍ରିଜାଙ୍କ ମାଆ କ୍ୟାନ୍ସରରେ ପୀଡ଼ିତ ଥିବାରୁ ସେ କୌଣସି ବି ସେମିତି ନିଷ୍ପତ୍ତି ନେଇପାରି ନଥିଲେ। ଜଣେ ପତ୍ନୀ ଭାବରେ ପତିଙ୍କୁ ସବୁ ପ୍ରକାର ସହଯୋଗ କରିଥିବା ସେ କହିଛନ୍ତି। ବିଭିନ୍ନ ନିର୍ବାଚନରେ ବି ସହାୟତା କରିବା ସହ ଅର୍କେଶଙ୍କ ସହ ପ୍ରଚାର କରିଥିବା କହିଛନ୍ତି। ନିଜ ମାଆଙ୍କ କ୍ୟାନସର ଥିଲେ ବି ପଂଚାୟତ ଓ ପୌର ନିର୍ବାଚନରେ ସ୍ୱାମୀଙ୍କ କଥାରେ ହଁ ଭରି କାମ କରିଥିବା କହିଛନ୍ତି। ତା ପରେ ବି ଶ୍ୱଶୁରଘର ପରିବାର ତାଙ୍କୁ ସବୁ ସମୟରେ ନିର୍ଯାତନା ଦେଇଆସୁଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା। ଏହା ସହିତ ତାଙ୍କ ଉପରେ ନଜର ରଖିବା ପାଇଁ ଘରେ କ୍ୟାମେରା ଲଗାଇଥିଲେ ବୋଲି ମଧ୍ୟ ଅଦ୍ରିଜା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଦ୍ରିଜାଙ୍କ ଅଭିଯୋଗର ପ୍ରତିକ୍ରିୟା ରଖି ଅର୍କେଶ ନାରାୟଣ ସିଂହଦେଓ କହିଛନ୍ତି, ବର୍ଷେ ହେବ ଉଭୟଙ୍କ ଭିତରେ ବିବାଦ ଆରମ୍ଭ ହୋଇଛି। ଘରୋଇ ହିଂସା ଭଳି ମିଛ ମାମଲା ତାଙ୍କ ନାଁରେ ଦିଆଯାଇଛି। ଡେରାଡୁନରେ ତାଙ୍କ ନିଜ ଘରକୁ ଅଦ୍ରିଜା ତାଙ୍କୁ ଛାଡ଼ୁନାହାନ୍ତି। ଯେତେବେଳେ କୌଣସି କାମ ପାଇଁ ଗଲେ ପୁଲିସ ଓ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ନେଇକି ଯିବାକୁ ପଡ଼ୁଥିବା ସେ କହିଛନ୍ତି। ଡେରାଡୁନସ୍ଥିତ ତାଙ୍କ ଘରେ ଅଦ୍ରିଜାଙ୍କ ବାପା, ମାଆ ଓ ଭଉଣୀ ରହୁଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ହେଲା ସେ ଘର ଅର୍କେଶ ଛାଡ଼ି ଦେଇଥିବା କହିବା ସହ ୩ ଦିନ ତଳେ ଅଦ୍ରିଜା ଘରେ ଗୁଣ୍ଡା ପୂରାଇଥିଲେ ଏବଂ ଏବେ ଏସବୁ ଅଭିଯୋଗ କରି ଡ୍ରାମା କରୁଥିବା କହିଛନ୍ତି ଅର୍କେଶ। ଅଦ୍ରିଜାଙ୍କୁ ଉପରେ ନଜର ରଖିବା ଉଦ୍ଦେଶ୍ୟରେ କ୍ୟାମେରା ଲଗାଯାଇଥିବା ଅଭିଯୋଗକୁ ଅର୍କେଶ ଖଣ୍ଡନ କରିଛନ୍ତି।

 

Leave A Reply

Your email address will not be published.