ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅପରେସନ୍ କାବେରୀ ଜରିଆରେ ସୁଦାନରୁ ୬ ଜଣ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ସୁଦାନରୁ ଭାରତ ସରକାର ସେମାନଙ୍କୁ ନିଜ ଘରକୁ ଆଣିଛନ୍ତି। ସେମାନେ ରହୁଥିବା ସ୍ଥାନ ପାଖରେ ହିଁ ଚାଲିଥିଲା ଯୁଦ୍ଧ। ସେମାନେ ଛାତିଥରା ଅନୁଭୂତି ବଖାଣିଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଶିବ ପ୍ରସାଦ ଜେନା ନିଜ ଅନୁଭୂତି ବଖାଣି କହିଛନ୍ତି, ସେ ସୁଦାନର ଆରତୀ ଷ୍ଟିଲ ନାମକ ଏକ ପ୍ଲାଣ୍ଟରେ କାମ କରୁଥିଲେ। ସେଇଠି ଯୁଦ୍ଧ ସମୟରେ ସେମାନଙ୍କୁ ପ୍ରାୟ ୮ ଘଣ୍ଟା ଧରି ଗନ୍ ପଏଣ୍ଟରେ ରଖିଥିଲେ। ସେହି ସମୟରେ ଗନ ପଏଣ୍ଟରେ ରଖି ତାଙ୍କଠାରୁ ମୋବାଇଲ ଓ ୩୦୦ ଡ଼ଲାର ଲୁଟି ନିଆଯାଇଥିଲା। ପବିତ୍ର ମୋହନ ପ୍ରଧାନ କହିଛନ୍ତି, ସୁଦାନରେ ହିଂସା ଲାଗିରହିଥିବା ବେଳେ ସେଠାରେ ରହୁଥିବା ଓଡ଼ିଆମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଦିନକୁ ଗୋଟିଏ ଓଳି ଖାଇବା ମୁସ୍କିଲ ହୋଇପଡ଼ିଥିଲା, ଯାହା ଟଙ୍କା ଓ ଖାଇବା ସାମଗ୍ରୀ ଥିଲା ସବୁ ଆକ୍ରମଣକାରୀ ନେଇଗଲେ। ତେବେ ଅପରେସନ କାବେରୀ ମାଧ୍ୟମରେ ସେମାନେ ଉଦ୍ଧାର ହୋଇ ଦିଲ୍ଲୀ ଆସିବା ପରେ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ନୂଆ ଜୀବନ ପାଇଛନ୍ତି। ଏଣେ ସୁରକ୍ଷିତ ଭାବରେ ନିଜ ଜନ୍ମ ମାଟିକୁ ଫେରିବା ପରେ ଖୁସି ବ୍ୟକ୍ତ କରିବା ପରେ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବସନ୍ତ କୁମାର ମିଶ୍ର। ନିଜ ଅନୁଭୂତିରୁ ସେ କହିଛନ୍ତି, ଗୁଳିବାରୁଦର ଶବ୍ଦ ସହିତ ବନ୍ଧୁକ ମୁନରୁ ଫେରିଛନ୍ତି ଅନେକ ଭାରତୀୟ ଯାହାଙ୍କ ମଧ୍ୟରେ ମୁଁ ବି ଅଛି।
ସୂଚନାଯୋଗ୍ୟ, ପ୍ରାୟ ୨ ସପ୍ତାହ ଧରି ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷ ଦେଖାଦେଇଛି। ଏହି ଅଶାନ୍ତ ପରିସ୍ଥିତି ପାଇଁ ଦୁଇଟି ସଶସ୍ତ୍ର ଆଭ୍ୟନ୍ତରୀଣ ଗୋଷ୍ଠୀ ଦାୟୀ। ଗୋଟିଏ ପଟେ ସୁଦାନର ସେନା ଏବଂ ତାକୁ ବିରୋଧ କରୁଛି ସୁଦାନର ଅର୍ଦ୍ଧ ସାମରିକ ବାହିନୀ ବା ରାପିଡ୍ ସପୋର୍ଟ ଫୋର୍ସ ( ଆର୍ଏସ୍ଏଫ୍)। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ସଂଘର୍ଷରେ ୪୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହେଲେଣିି। ସେଠାରେ ଖାଦ୍ୟ, ପାନୀୟ ଜଳ ଓ ଓଷଧ ସଙ୍କଟ ଦେଖାଯାଇଛି। ବିଶ୍ୱର ଦରିଦ୍ର ଦେଶ ସୁଦାନର ଇତିହାସକୁ ଦେଖିଲେ ୧୯୫୬ରେ ସ୍ବାଧୀନତା ପାଇବା ପରଠାରୁ ଏହାର ଶାସନରେ ଅସ୍ଥିରତା ଲାଗିରହିଛି ଓ ସେନା ସେଠାରେ ୬ ଥର କ୍ଷମତା ଦଖଲ କରିଛି। ୧୯୫୮ରେ ପ୍ରଥମ ଓ ଶେଷ ଥର ୨୦୨୧ରେ ରାଷ୍ଟ୍ରପତି ଓମାର ଅଲ ବସିରଙ୍କୁ ଗାଦିଚ୍ୟୁତ କରି ଜେନେରାଲ ଅବଦେଲ ଫାତହା ଅଲ ବୁର୍ହାନ୍ କ୍ଷମତା ହାତକୁ ନେଇଥିଲେ। ସେନା ହାତରେ କ୍ଷମତା ରଖିବା ଲାଗି ରାପିଡ୍ ସପୋର୍ଟ ଫୋର୍ସର ଜେନେରାଲ ଏମ୍.ଏଚ୍ ଡାଗଲୋ ସାହାଯ୍ୟ କରି ଆସୁଥିଲେ। ୨୦୨୩ ଶେଷ ସୁଦ୍ଧା ସେଠାରେ ନିର୍ବାଚନ କରି ଗଣସରକାର ପ୍ରତିଷ୍ଠା କରିବା ଲାଗି ବୁର୍ହାନ୍ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘଷର୍ର୍ ସୂଚାଉଛି ଯେ, ସେମାନଙ୍କ ମଧ୍ୟରୁ କାହାର ବି କ୍ଷମତା ଛାଡ଼ିବାର ଇଚ୍ଛା ନାହିଁ।
କେବଳ ସୁଦାନ ନୁହେଁ, ଏସୀୟ ରାଷ୍ଟ୍ର ମ୍ୟାନ୍ମାର(ପୂର୍ବନାମ ବର୍ମା)ର ଉଦାହରଣ ବିଶ୍ୱ ଦୃଶ୍ୟପଟରେ ଉଲ୍ଲେଖନୀୟ। ଦୀର୍ଘଦିନ ଧରି ସେନା ଶାସନରେ ରହି ମ୍ୟାନ୍ମାରରେ ଏକାଧିକ ନିର୍ବାଚନ କରାଯାଇଥିଲେ ବି ଗଣତନ୍ତ୍ରକୁ ସଫଳ କରାଇ ଦିଆଯାଇନାହିଁ। ୨୦୨୦ ସାଧାରଣ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ତଥା ନ୍ୟାଶ୍ନାଲ ଲିଗ୍ ଫର୍ ଡେମୋକ୍ରାସି (ଏନ୍ଏଲ୍ଡି) ନେତ୍ରୀ ଆଙ୍ଗ୍ ସାନ୍ ସୁଚି ବିପୁଳ ବିଜୟ ଲାଭ କରି କ୍ଷମତାକୁ ଆସିଥିଲେ ମଧ୍ୟ ସେନା ପୁନର୍ବାର ୨୦୨୧ରେ କ୍ଷମତା ଦଖଲ କରି ସୁଚିଙ୍କୁ ଗୃହବନ୍ଦୀ କରିଥିଲା। ବିଶ୍ୱରେ ଏଭଳି ଅନେକ ସେନା ଅଧିକାରୀ ଯେଉଁମାନଙ୍କୁ ଜୁଣ୍ଟା ବୋଲି କୁହାଯାଏ, ସେମାନେ କ୍ଷମତା ଦଖଲ କରି ହିଂସା ଓ ଏକଚ୍ଛତ୍ରବାଦକୁ ପ୍ରୋତ୍ସାହନ ଦିଅନ୍ତି। ୧୯୯୦ ଦଶକରୁ ବିଭିନ୍ନ ଦେଶରେ ମିଲିଟାରି ଶାସନ ଅନେକ ନିର୍ବାଚନ କରାଇଛି ଓ ପରେ ତାହାକୁ ନିଜ ସୁବିଧା ହେବା ଭଳି ରାଜନୈତକ ଦଳ କିମ୍ବା ମୁଖ୍ୟମାନଙ୍କୁ ନିଯୁକ୍ତ କରିଛି। ୧୯୯୨ରେ ଆଲ୍ଜେରିଆ ଠାରୁ ଆରମ୍ଭ କରି ସୁଦାନ ଓ ମ୍ୟାନ୍ମାର ସମେତ ନାଇଜେରିଆ, କାମ୍ବୋଡିଆ, ଇଜିପ୍ଟ, ଥାଇଲାଣ୍ଡ, ମାଲି, ଚାଦ୍ ଏବଂ ଗତ ବର୍ଷ ବୁର୍କିନା ଫାସୋ ମିଲିଟାରି ଏକଚ୍ଛତ୍ରବାଦ ଶାସନକୁ ଚାଖିଛନ୍ତି। ବିଶେଷଜ୍ଞ କହନ୍ତି ଯେ, ଯେଉଁ ଦେଶରେ ରାଜନୈତିକ କାର୍ଯ୍ୟକ୍ରମ ଜୋର୍ ଧରେ, ସେଠାରେ ସେନା ଏବଂ କର୍ପୋରେଟ ବିରୋଧୀ ମନୋଭାବ ବୃଦ୍ଧି ପାଇଥାଏ। । ବିଶ୍ୱରେ ଯେତେସବୁ ଦେଶରେ ମିଲିଟାରି କ୍ଷମତା ଦଖଲ କରିଛି ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବାଟ ଛାଡ଼ିନି ସେଠାରେ ଆର୍ଥିକ ଏବଂ ସାମାଜିକ ଅସ୍ଥିରତା ଦେଖାଯାଇଛି। ବହୁ କ୍ଷେତ୍ରରେ ମାନବୀୟ ସଙ୍କଟ ସୀମା ଟପିଯାଉଛି।