ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିର ୪ ଜଣିଆ ଟିମ୍ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହୋଇଥିବା ହିଂସାର ତଦନ୍ତ କରିବ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ଟିମ୍ ଗଠନ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ । ୪ ଜଣିଆ କମିଟିରେ ରାଜ୍ୟସଭା ସାଂସଦ ବ୍ରିଜ୍ ଲାଲ୍, ସମୀର ଓରାନ୍, ଆଦିତ୍ୟ ସାହୁ ଓ ଲୋକସଭା ସାଂସଦ ଜ୍ୟୋତିର୍ମୟୀ ସିଂ ମହାତୋ ଅଛନ୍ତି । ଏହି କମିଟି ସମ୍ବଲପୁର ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଯାହାକୁ ନଡ୍ଡାଙ୍କୁ ପ୍ରଦାନ କରାଯିବ । ଏପ୍ରିଲ୍ ୨୨ରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ହିଂସାର ଏନ୍ଆଇଏ ତଦନ୍ତ ପାଇଁ ଚିଠି ଲେଖା ଯାଇଥିଲା । ହିଂସାକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଥିଲା ।
ସୂଚନାଯୋଗ୍ୟ, ‘ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମ୍ବଲପୁରରେ ହିଂସାକାଣ୍ଡ ପ୍ରି ପ୍ଲାନ୍ଡ଼ ଥିଲା’ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସମ୍ବଲପୁର ଏସ୍ପି । ଏସ୍ପିଙ୍କ କହିବାନୁଯାୟୀ, ଯଦି ହିଂସାକାଣ୍ଡ ପୂର୍ବ ଯୋଜନା ଥିଲା, ତେବେ ପୋଲିସର ପ୍ରସ୍ତୁତି କାହିଁକି ସେଭଳି ନଥିଲା ? ହିଂସାକାରୀଙ୍କୁ ଦମନ କରିବା ପାଇଁ କି ପଦକ୍ଷେପ ନେଇଥିଲା ସମ୍ବଲପୁର ପୋଲିସ ? ଗୁଇନ୍ଦା ବିଭାଗ ପାଖରେ ଖବର ଥିଲା ତ ? କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଆଲର୍ଟ କରିବା ପରେ ବି ସମ୍ବଲପୁର ପୋଲିସ ସେଦିଗରେ ସଜାଗ ନଥିଲା କାହିଁକି ? କାରଣ ବିଗତ ବର୍ଷମାନଙ୍କରେ ହନୁମାନ ଜୟନ୍ତୀ ବେଳେ ଉତ୍ତେଜନାମୂଳକ ସ୍ଥିତି ଉପୁଜେ ଏବଂ ନିର୍ଦ୍ଧିଷ୍ଟ ସମ୍ବେଦନଶୀଳ ଅଞ୍ଚଳରେ ହିଁ ହିଂସାର ଆଶଙ୍କା ଥାଏ । ଏକଥା ନିଜେ ପୋଲିସ ବି ଜାଣିଛି । ଅଥଚ ସୁରକ୍ଷାକୁ କାହିଁକି କଡ଼ାକଡ଼ି କରାଯାଇନଥିଲା ? ତାକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ବିଜେପିର ଫ୍ୟାକଟ ଫାଇଣ୍ଡିଂ ଟିମ୍ ରାଜ୍ୟ ସରକାର ଏବଂ ପୋଲିସ ଉପରକୁ ଦୋଷ ଲଦିଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡିକୁ ଟାର୍ଗେଟ କରିଥିଲେ । ସମ୍ବଲପୁରରେ ଯେଉ ହିଂସାକାଣ୍ଡ ହେଲା, ତାକୁ ଚପାଇ ଦେବାକୁ ଶାସକ ଦଳ ବସିଛି । ସେ କହିଛନ୍ତି କଟକ, କେନ୍ଦ୍ରାପଡ଼ାରେ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ହନୁମାନ ଜୟନ୍ତୀ ପାଳନ ହେଲା, ଅଥଚ ସମ୍ବଲପୁରରେ କାହିଁକି ଅବହେଳା ହୋଇଛି, ତାର ସ୍ପଷ୍ଟତା ରହିବା ଦରକାର । ଓଡ଼ିଶା ଜନସାଧାରଣ ବି ଜାଣିବା ଦରକାର । ସମ୍ବଲପୁର ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହଁ । ସେପଟେ ଯେତେ ଶୀଘ୍ର ସମ୍ଭବ ପ୍ରମାଣ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି । ଅପରପକ୍ଷେ ସମ୍ବଲପୁର ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି ।