ଭୁବନେଶ୍ୱର ରୋଡ ଶୋ ପରେ; ପ୍ରଧାନମନ୍ତ୍ରୀଙ୍କ 3ଜିଲ୍ଲା ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ବରରେ ରୋଡ ସୋ’ ପରେ ଆଜି 3 ଜିଲ୍ଲାରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିବେ । ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ବତନ୍ତ୍ର ହେଲିକପଟରରେ ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।ଜନସଭା ସାରି ସେଠାରୁ ହେଲିକପଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ।

ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ୧୨ଟାରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି। ଦିନ 1ଟା 30ରେ ବରଗଡ ଗସ୍ତ କରି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଜେପି ଫୋକସରେ ରହିଛି ଓଡିଶା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମେ’ 20 ତାରିଖରେ ବରଗଡ, କନ୍ଧମାଳ ଓ ବଲାଙ୍ଗୀରରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି ଏହି ତିନି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ସିଟରେ ବିଜୟ ହେବ ସେନେଇ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ରୀୟ ନେତା । ଗତକାଲି ଭୁବନେଶ୍ବରରେ ରୋଡ ସୋ ଶେଷ କରିବା ପରେ ରାଜଭବନରେ ରାତ୍ରୀଯାପନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ମାତ୍ର କିଛି ସମୟ ପରେ କନ୍ଧମାଳ ଅଭିମୁଖେ ବାହାରିବେ ।

Comments are closed.