ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ ହକି ଆୟୋଜନ ପୂର୍ବରୁ ସହରକୁ ଓ ରାଜଧାନୀବାସୀଙ୍କୁ ଚଳଚଞ୍ଚଳ କରିବାକୁ ଯାଇ ଉଭୟ ବିଏମସି ଓ ବିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ଆଜି ଭୁବନେଶ୍ୱରରେ ପେଡେଲ ଫର ହକି ନାମକ ସାଇକ୍ଲୋଥାନର ଆୟୋଜନ କରାଯାଇଛି। ଜାଭିଅର ଛକ ଠାରୁ ଜୟଦେବବିହାର, ରସୁଲଗଡ଼ ଛକରୁ ବାଣୀବିହାର ଓ ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ପର୍ଯ୍ୟନ୍ତ ଏହି ସାଇକ୍ଲୋଥାନ ବାହାରି ମାଷ୍ଟର କ୍ୟାଣ୍ଟିନ ଠାରେ ପହଞ୍ଚିଥିଲା। ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।
ପେଡେଲ ଫର ହକି ସାଇକ୍ଲୋଥନରେ ପିଲାଙ୍କ ଠାରୁ ବୟସ୍କ ପ୍ରାୟ ସହସ୍ରାଧିକ ସାଇକେଲ ସହ ସକ୍ରିୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।