ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଯେଉଁଥିରୁ ସାମ୍ନାକୁ ଆସିଛି ଦେଶର ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସବିଶେଷ ତଥ୍ୟ । ଏହି ରିପୋର୍ଟ ଅନୁସାରେ ସବୁଠାରୁ କମ୍ ଶିକ୍ଷାଗତ ଯୋଗ୍ୟତା ରହିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର । ଯିଏ କି ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସେହିପରି ସବୁଠାରୁ ଅଧିକ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ହିମନ୍ତ ବିଶ୍ୱ ଶର୍ମାଙ୍କୁ ମିଳିଛି ଡକ୍ଟରେଟ୍ ଉପାଧି । ସେହିପରି ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ ଗ୍ରାଜୁଏଟ୍ ।
ସେହିପରି ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ନେଇ ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ରହିଛି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ତାଙ୍କ ନିକଟରେ ୧୬୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି ରହିଛି। ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ରହିଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି। ତେବେ ଏହି ତାଲିକାରେ ସବୁଠାରୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ନିକଟରେ ୧୫ ଲକ୍ଷ ଟଙ୍କାର ସଂପତ୍ତି ଥିବା ବେଳେ ସେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତ୍ତି ଥିବା ଏଡିଆର୍ ରିପୋର୍ଟରେ ଉଲ୍ଲେଖ ହୋଇଛି।
ନିକଟରେ ଦେଶର ଶୀର୍ଷ ୫ ଦଳର ମୋଟ ଆୟ ନେଇ ଏଡିଆର୍ ରିପୋର୍ଟ ପ୍ରକାଶ କରିଛି। ଡିଏମକେ, ଆପ୍, ୱାଇଏସଆର କଂଗ୍ରେସ, ଜେଡିୟୁ, ବିଜେଡି ସହ ମୋଟ ୧୦ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଏହାର ପରିଚାଳନା ପାଇଁ ୨୦୨୧-୨୨ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୮୫୨.୮୮ କୋଟି ଟଙ୍କା ଚାନ୍ଦା ନେଇଛନ୍ତି। ରାଜନୈତିକ ଦଳଗୁଡିକର ହିସାବନିକାସ ରଖୁଥିବା ଏନଜିଓ ସଂସ୍ଥା ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ରିପୋର୍ଟରେ ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ବର୍ଷ ୩୬ ରାଜନୈତିକ ଦଳକୁ ମୋଟ ୧,୨୧୩ କୋଟି ଟଙ୍କା ମିଳିଥିବା ବେଳେ ୧୦ ଆଞ୍ଚଳିକ ଦଳ ୨୦୨୧-୨୨ରେ ମୋଟ ୮୫୨.୮୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଛନ୍ତି। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆୟୋଗକୁ ଦେଇଥିବା ନିଜର ଅଡିଟ୍ ରିପୋର୍ଟକୁ ବିଶ୍ଲେଷଣ କରି ଏଡିଆର ୨୦୨୧-୨୨ ପାଇଁ ୩୬ ଆଞ୍ଚଳିକ ଦଳର ଆୟ ଓ ବ୍ୟୟର ରିପୋର୍ଟ ଦେଇଛି। ତାମିଲାନାଡୁରେ କ୍ଷମତାସୀନ ଦଳ ଡିଏମକେ ସବୁଠୁ ଅଧିକ ୩୧୮ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ଦ୍ୱିତୀୟରେ ଓଡ଼ିଶାର ବିଜେଡିକୁ ୩୦୭ କୋଟି ଟଙ୍କା ଚାନ୍ଦା ମିଳିଛି। ସେହିପରି ଟିଆରଏସ ୨୧୮ କୋଟି ଚାନ୍ଦା ପାଇଛି। ଦେଶର ଶୀର୍ଷ ୫ ଦଳର ମୋଟ ଆୟ ୧୦୨୪.୪୨୪ କୋଟି ଟଙ୍କା ରହିଥିଲା ବୋଲି ଏଡିଆର୍ ରିପୋର୍ଟରେ ପ୍ରକାଶ କରିଛି।