ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ: ଛୁଟୁଛି ଶୁଭେଚ୍ଛା ସୁଅ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜିର ଦିନଟି ବିଶେଷ ଭାବେ ସମସ୍ତ ଓଡିଆଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଦେଶର ଶୀର୍ଷ ସାମ୍ବିଧାନିକ ପଦ ରାଷ୍ଟ୍ରପତି ପାଇଁ ବିଜେପି ନେତୃତ୍ୱ ଏନଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଓଡ଼ିଶା ମାଟିର ଗର୍ବ, ଗୌରବ ତଥା ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟର ଏକ ଉପାନ୍ତ ଜିଲ୍ଲାର ରାଇରଙ୍ଗପୁର ଅଂଚଳରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ମୁର୍ମୁ ଆଜି ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ରାଇସିନା ହିଲ୍‌କୁ ପହଂଚିଛନ୍ତି ।

‘ସମାଜର ଅନ୍ତିମ ଧାଡିରେ ବାସ କରୁଥିବା ବ୍ୟକ୍ତି ଯେଉଁ ଦିନ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବେ, ସେହି ଦିନ ବାସ୍ତବରେ ସ୍ୱାଧୀନତା ପ୍ରାପ୍ତ ହେଲା ବୋଲି ଜାଣିବା’ ବୋଲି ସମ୍ବିଧାନର ପ୍ରଣେୟତା ଡ.ଭୀମରାଓ ଆମ୍ବେଦକର କହିଥିଲେ ।  ଆଜି ତାହା ସାକାର ହୋଇଛି।

୧୯୫୮ ଜୁନ୍‌ ୨୦ରେ ଜନ୍ମ ଗ୍ରହଣ କରିଥିଲେ ଦ୍ରୌପଦୀ । ସାନ୍ତାଳୀ ସଂପ୍ରଦାୟରେ ମୟୂରଭଞ୍ଜ ଜିଲ୍ଲାର ବଇଡ଼ାପୋଷୀ ଗାଁରେ ଜନ୍ମ ଗ୍ରହଣ। କୁସୁମୀ ବ୍ଲକର ଉପରବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ। ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ପଢିଥିଲେ ସେଠାରେ। ଏହା ପରେ ହାଇସ୍କୁଲ ଶିକ୍ଷା ପାଇଁ ୧୯୭୪ରେ ଆସିଥିଲେ ଭୁବନେଶ୍ୱର। ୟୁନିଟ ଟୁ ଗାର୍ଲସ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ଶିକ୍ଷା ଗ୍ରହଣ କରିଥିଲେ। ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକରେ ଶିକ୍ଷା ଗ୍ରହଣ କରିଥିଲେ। ଶିକ୍ଷା ଶେଷ ପରେ ଓଡିଶା ସରକାରଙ୍କ ଜଳସେଚନ ଓ ଶକ୍ତି ବିଭାଗରେ କନିଷ୍ଠ ସହାୟକ ଭାବେ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ଚାକିରି କରିଥିଲେ। ପରେ ଫେରିଆସିଥିଲେ ଜନ୍ମମାଟି। ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସେଣ୍ଟରରେ ୧୯୯୪ରୁ ୧୯୯୭ ଯାଏ ଶିକ୍ଷକ ଭାବେ ଶିକ୍ଷାଦାନ କରିଥିଲେ।

 ଶିକ୍ଷାଦାନ ପରେ ରାଜନୀତିରେ ପାଦ ଥାପିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ରାଜନୈତିକ କ୍ୟାରିଅରର ଆରମ୍ଭ। ରାଇରଙ୍ଗପୁର ଏନଏସିରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ସେହିବର୍ଷ ରାଇରଙ୍ଗପୁର ଏନଏସିର ଉପାଧ୍ୟକ୍ଷା ହୋଇଥିଲେ। ପରେ ସେ ଓଡ଼ିଶା ବିଜେପି ଏସଟି ମୋର୍ଚ୍ଚାର ଉପସଭାପତି ଓ ପରେ ସଭାପତି ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବା ବେଳେ ମନ୍ତ୍ରୀ ପଦ ସମ୍ଭାଳିଥିଲେ ଏହି ଆଦିବାସୀ ବିଜେପି ନେତ୍ରୀ । ୨୦୦୦ ମସିହା ମାର୍ଚ୍ଚ ୬ ତାରିଖରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱାଧୀନ ଦାୟିତ୍ୱରେ ଥିଲେ ଦ୍ରୌପଦୀ ମୁର୍ମୁ । ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ମେ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୭ରେ ସେ ଓଡ଼ିଶା ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ପୁରସ୍କାର ପାଇଥିଲେ । ୨୦୧୩ରେ ସେ ବିଜେପି ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ହୋଇଥିଲେ।

 ୨୦୧୫ ମେ ୧୮ରେ ଝାଡ଼ଖଣ୍ଡର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ସେ ପ୍ରଥମ ମହିଳା ରାଜ୍ୟପାଳ । ଦେଶର ପ୍ରଥମ ଆଦିବାସୀ ରାଜ୍ୟପାଳ ଭାବେ ରେକର୍ଡର ଅଧିକାରୀ ଦ୍ରୌପଦୀ । ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ଭାବେ ସେ ପୂରା ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି । ରାଜ୍ୟପାଳ ଭାବେ ନିଜର କାର୍ଯ୍ୟକାଳରେ ରାଜ୍ୟରେ ଉଚ୍ଚଶିକ୍ଷା ନେଇ ଲୋକ ଅଦାଲତ ଆୟୋଜନ କରିଥିଲେ । ୫ହଜାର ମାମଲାର ସମାଧାନ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ଉପକୃତ ହୋଇଥିଲେ । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ଏନରୋଲ ପ୍ରସେସର ସେଣ୍ଟ୍ରାଲାଇଜ କରିବାକୁ ଚାନ୍‌ସଲର୍‌ସ ପୋର୍ଟାଲ ଗଠନ କରିଥିଲେ । ରାଜ୍ୟପାଳ କାର୍ଯ୍ୟକାଳ ପୂରଣ କରିବା ପରେ ୨୦୨୧ ଜୁଲାଇ ୧୨ରେ ସେ ନିଜ ଗାଁକୁ ଫେରି ଆସିଥିଲେ । ରାଜନୈତିକ କ୍ୟାରିୟର ଭିତରେ ସେ ଆଦିବାସୀ ସଂପ୍ରଦାୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ।.

Leave A Reply

Your email address will not be published.