ଅର୍ଚ୍ଚନା ନାଗ ସ୍କାଣ୍ଡାଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ଆସନ୍ତାକାଲିଠାରୁ ବିଜେପି କରିବ ଅହରାତ୍ର ଧାରଣା: ପୃଥ୍ୱୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ୨୩ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ରହିଆସିଛନ୍ତି କିନ୍ତୁ ଏବେ ଅନାଚାର ଓ ବ୍ୟଭିଚାରରେ ସୀମା ଟପିଲେଣି । ଇତିଶ୍ରୀ, ବେବିନାଙ୍କ ଠାରୁ ଆରମ୍ଭ କରି ନୟାଗଡର ପରୀ ଓ ଯାଜପୁରର ପିହୁ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ଅନାଚାର, ବ୍ୟଭିଚାରରେ ଶାସକ ଦଳର ସଂପୃକ୍ତି ଥିବା ସ୍ପଷ୍ଟ ଚିତ୍ର ଓଡିଶାବାସୀ ଦେଖିସାରିଛନ୍ତି । ଶାସକ ଦଳର ମନ୍ତ୍ରୀ, ନେତାମାନଙ୍କର ଏହି ବ୍ୟଭିଚାର ବିରୋଧରେ ସ୍ୱର ଉତୋଳନ କରି ମମିତା ମେହେର ଭଳି ଅନେକ ଝିଅ ନିଜର ପ୍ରାଣ ହରାଇଛନ୍ତି ଯାହା ଓଡିଶାବାସୀ ଦେଖିଛନ୍ତି । ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ଆକଣ୍ଠପାନ କରିଛନ୍ତି । ଚିଟ୍‌ଫଣ୍ଡ, ବ୍ଲକ ଓ ସେକ୍ରେଟାରୀଏଟର ତୃତୀୟ ମହଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ପ୍ରଶୟ ଦେଉଥିବା ଓଡିଶାବାସୀ ଜାଣିଛନ୍ତି, ଓଡିଶାରେ ବିନା ଲାଂଚ ଟଙ୍କାରେ ପତ୍ର ହଲେନାହିଁ ଯାହା ରାଜ୍ୟ ସରକାରଙ୍କ ପରିଚୟକୁ ସ୍ପଷ୍ଟ କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଓଡିଶା ପୋଲିସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ତାହାର ନିଦ୍ରା ଭାଙ୍ଗିବା ଦରକାର । ଓଡିଶାରେ ଯେତେ ବଡ ଦୁର୍ନୀତି କିମ୍ବା ବ୍ୟଭିଚାରର କଥା ଆସେ ସବୁବେଳେ ଅପାରଗ ଓ ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀ କହନ୍ତି ଯେ- “ଆଇନ ତା ବାଟରେ ଯାଉଛି” । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡିତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ କି ଅପରାଧରେ ସଂପୃକ୍ତ ଥିବା ମନ୍ତ୍ରୀ ଓ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଡିଶାର ବ୍ୟଭିଚାର, ଅନାଚାରକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ବୋଲି ହରିଚନ୍ଦନ କହିଛନ୍ତି ।

ପୁରୀ ଜିଲ୍ଲା ନିମାପଡାର ତତ୍‌କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଠୋସ୍ ପ୍ରମାଣ ଥାଇ ବି ପୋଲିସ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ, ଟଙ୍କା ଲୁଣ୍ଠନ ଓ ବ୍ଲାକ ମେଲିଙ୍ଗ୍ ଭଳି ଜଘନ୍ୟ ଅଭିଯୋଗ ଥିଲେ ମଧ୍ୟ କମିଶନରେଟ ପୋଲିସ କାହିଁକି ତାଙ୍କ ବିରୋଧରେ ଚାର୍ଜସିଟ୍ ନକରି ଘଂଟ ଘୋଡାଉଛନ୍ତି ବୋଲି  ହରିଚନ୍ଦନ କହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଥିବା ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ବ୍ୟଭିଚାରକୁ ମଧ୍ୟ ଜଣେ ଲେଡି ବ୍ଲାକମେଲର ସମାନ ଢଙ୍ଗରେ ପରିଚାଳନା କରୁଥିଲେ ଯାହା ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ଗତ ପଂଚାୟତ ନିର୍ବାଚନ ପରଠୁ ଦୁଇ ଥର ମୋଟା ଅଙ୍କର ଅର୍ଥ ସ୍ୱର୍ଗତଃ ସାହୁଙ୍କ ପାଖରୁ ଗଣଶିକ୍ଷାମନ୍ତ୍ରୀ ନେଇଛନ୍ତି ବୋଲି ହରିଚନ୍ଦନ କହିଛନ୍ତି । ଏନେଇ ପୋଲିସ କୌଣସି ତଦନ୍ତ କରିନାହିଁ । ଘୁରିବୁଲୁଥିବା ଧର୍ମେନ୍ଦ୍ର ସାହୁଙ୍କ ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ପ୍ରତ୍ୟକ୍ଷ ପ୍ରମାଣ ମିଳୁଥିବାବେଳେ ପୁଲିସ କାହିିଁକି ଏହାକୁ ତଦନ୍ତ ପରିସରଭୁକ୍ତ କରୁନାହିଁ ବୋଲି  ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ  ହରିଚନ୍ଦନ କହିଛନ୍ତି ଯେ, ଆସନ୍ତାକାଲିଠୁ ପୋଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଲାଗି ବିଜେପି ଅହରାତ୍ରି ଆନ୍ଦୋଳନ କରିବ । ନିର୍ଣ୍ଣାୟକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବଳବତର ରହିବ ଏବଂ ସେଥିରେ ଯଦି ପୋଲିସ ଓ ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତାହେଲେ ଘଂଟ ଘଂଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ ନିଦ୍ରା ଭାଙ୍ଗିବାକୁ ବିଜେପି ଯିବ । ରାଜ୍ୟ ସରକାର ଅର୍ଚ୍ଚନା ନାଗଙ୍କ ଘଟଣାରେ ଯେଉଁ ବଡ ବଡିଆ ନେତାମନ୍ତ୍ରୀମାନେ ସଂପୃକ୍ତ ଅଛନ୍ତି ତୁରନ୍ତ ତାଙ୍କ ନାମ ପ୍ରକାଶ କରି ବିହିତ ପଦକ୍ଷେପ ନିଅନ୍ତୁ ।

Leave A Reply

Your email address will not be published.