ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଳିତ ଆଇପିଏଲ୍ରେ ସବୁଠାରୁ ଘାତକ ବୋଲର ସାବ୍ୟସ୍ତ ହୋଇଛନ୍ତି ପଞ୍ଜାବର ଅର୍ଶଦୀପ ସିଂହ । ଗତକାଲି ଆଇପିଏଲ୍ରେ ୩୧ ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ମ୍ୟାଚ୍ରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ଦଳ ୧୩ ରନ୍ରେ ପରାସ୍ତ ହୋଇଛି । ଗତକାଲିର ମ୍ୟାଚରେ ପଞ୍ଜାବର ଅର୍ଶଦୀପ ସିଂହ ସବୁଠାରୁ ଭୟଙ୍କର ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ଲଗାତର ଦୁଇଟି ୟୋର୍କର କରି ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଥିବା ତିଲକ ଓ ନେହଲ ୱାଧେରାଙ୍କ ୱିକେଟ୍ ନେଇଛନ୍ତି । ଏହି ଦୁଇଟିଯାକ ବଲ୍ରେ ସେ ମଝି ଷ୍ଟମ୍ପ ଭାଙ୍ଗି ଦେଇଛନ୍ତି । ମାତ୍ର ଏହି ଦୁଇଟି ବଲ୍ରେ ପାଣିରେ ପଡ଼ିଛି ୨୪ ଲକ୍ଷ ଟଙ୍କା ।
https://twitter.com/CricCrazyJohns/status/1649837545927360512?s=20
ସୂଚନା ଅନୁସାରେ, ଅର୍ଶଦୀପ ଯେଉଁ ଷ୍ଟମ୍ପ ଭାଙ୍ଗିଛନ୍ତି ତାର ଗୋଟିଏ ଯୋଡ଼ିର ମୂଲ୍ୟ ୪୮ ହଜାର ନ୍ୟୁଜିଲାଣ୍ଡ ଡଲାର । ଯଦି ଗୋଟିଏ ଷ୍ଟମ୍ପ ଭାଙ୍ଗିଲା ତେବେ ଅନ୍ୟ ଷ୍ଟମ୍ପଗୁଡ଼ିକ ମଧ୍ୟ ଅଦରକାରୀ ହୋଇପଡ଼େ ବୋଲି ସେ କହିଛନ୍ତି । ତେଣୁ ଦୁଇଟି ଷ୍ଟମ୍ପ ଭାଙ୍ଗିଥିବାର ଅନ୍ୟ ଷ୍ଟମ୍ପଗୁଡ଼ିକ ମଧ୍ୟ ଖରାପ ହୋଇଯାଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । କାଲିର ମ୍ୟାଚ୍ କଥା ଦେଖିଲେ, ଟସ୍ ହାରି ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୧୪ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ ସାମ କୁରନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ହରପ୍ରୀତ ସିଂ ଭାଟ୍ଟିଆ ୪୧ ରନ କରିଥିଲେ । ୨୧୫ ରନ୍ର ଟାର୍ଗେଟ୍ ନେଇ ମୁମ୍ବାଇ ୬ ୱିକେଟ୍ ହରାଇବା ସହ ମାତ୍ର ୨୦୧ ରନ୍ କରିପାରିଥିଲା । ମୁମ୍ବାଇ ପକ୍ଷରୁ କ୍ୟାମେରୁନ ଗ୍ରୀନଙ୍କ ୬୭, ସୂର୍ଯ୍ୟକୁମାର ଯାଦବଙ୍କ ୫୭ ରନ ଏବଂ ରୋହିତ ଶର୍ମାଙ୍କ ୪୪ ରନ କରିବାରେ ସକ୍ଷମ ହୋଇଥିଲେ ।
ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୨୯ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯ ରନର ଇନିଂସ ଖେଳିଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରି ନ ଥିଲେ ମଧ୍ୟ ବ୍ୟାଟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ମୁମ୍ବାଇ ପକ୍ଷରୁ କାମେରନ ଗ୍ରୀନ ଓ ପୀୟୁଷ ଚାୱଲା ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ତେବେ ପଞ୍ଜାବର ଏହି ବିଜୟ ସହ ଦଳ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହୋଇଛି । ସେହିପରି କ୍ରମାଗତ ତୃତୀୟ ବିଜୟ ପରେ ପ୍ରଥମ ଥର ପରାଜୟ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ।