ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି । ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ନାମରେ ସର୍ବସମ୍ମିତି କ୍ରମେ ମୋହର ବାଜିଛି । ସର୍ବସହମତିରେ ମନୋନୀତ ହୋଇଛନ୍ତି ଆତିଶୀ ।
ବର୍ତ୍ତମାନ ସେ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ।ଆସନ୍ତା ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ହାତରେ ଆଉ ମାତ୍ର ୪ ମାସ। ତେବେ ଏହା ପୂର୍ବରୁ ଏଇ ନଭେମ୍ବରରେ ମହାରାଷ୍ଟ୍ର ସହ ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗୁଆ କରିବାକୁ ଦାବି କରିଛନ୍ତି କେଜରିୱାଲ। ଏଥିସହ ସ୍ପଷ୍ଟ କରିଛନ୍ତି, ସେ ଇସ୍ତଫା ଦେବା ପରେ ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି।
ତେବେ କେଜରିୱାଲଙ୍କ ଘୋଷଣାକୁ ପିଆର୍ ଷ୍ଟଣ୍ଟ କହିଥିଲା ବିଜେପି। ଦଳ କହିଥିଲା, କେଜରିୱାଲ ବହୁ ପୂର୍ବରୁ ପଦ ଛାଡ଼ିବା କଥା। ଏହି ୪୮ ଘଣ୍ଟାର ସମୟ ଭିତରେ ପତ୍ନୀ ସୁନୀତା କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଯୋଜନା କରୁଛନ୍ତି। ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରି ସୋନିଆ ଗାନ୍ଧି ଯେଭଳି ସରକାର ଚଲାଉଥିଲେ, ଠିକ୍ ସେହିଭଳି ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରି କେଜରିୱାଲ ନିଜେ ଶାସନ କରିବେ ବୋଲି ଆରୋପ କରିଥିଲା ବିଜେପି।