ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶର ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ସାରା ଦେଶରୁ ୮ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ଜଣାପଡ଼ିଛି ।
ତେବେ ଏହାରି ମଧ୍ୟ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ। ସନାତନ ସଂସ୍କୃତି, ହିନ୍ଦୁ ଉପସାନା ପଦ୍ଧତି । ସେଇ ଆଧାରରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ବିଧି । ବିଶ୍ୱର କୋଣ ଅନୁକୋଣରୁ ନିମନ୍ତ୍ରିତ ହୋଇ ଅଯୋଧ୍ୟ ଆସିବେ ୪ ହଜାର ସାଧୁସନ୍ଥଙ୍କ ସହ ୭ ହଜାର ଅତିଥି। ରାଜନୀତି, ଶିଳ୍ପ, କ୍ରୀଡ଼ା, ସିନେମା ଓ ପଦ୍ମ ପୁରସ୍କାରରେ ସମ୍ମାନିତ ପ୍ରତିଷ୍ଠିତ ବ୍ୟକ୍ତି ବି ସାମିଲ ହେବେ। ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ଏହାବ୍ୟତୀତ ଉକ୍ତ ଉତ୍ସବରେ ଅନେକ ବଲିଉଡ କଳାକାର, କ୍ରିକେଟର, ରାଜନେତା, ଶିଳ୍ପପତି ପ୍ରମୁଖ ସାମିଲ ହେବେ । ସେହି ଲିଷ୍ଟରେ ଅମିତାଭ ବଚନ, ଅକ୍ଷୟ କୁମାର, ରତନ ଟାଟା, ଆଶା ଭୋଂଶଲେଙ୍କ ନାମ ରହିଛି । ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଜେପିର ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିନୟ କଟିୟାର, ସାଧ୍ୱୀ ଋତମ୍ଭରା ଓ ଉମା ଭାରତୀ ରହିଛନ୍ତି ।