ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବନି ବେଙ୍ଗାଲୁରୁ ସ୍ଥିତ ନିମହନ୍ସ, କ୍ରାଇମବ୍ରାଞ୍ଚ ଆବେଦନକୁ ଅଗ୍ରାହ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବନି ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍ଥ୍ ଆଣ୍ଡ ନ୍ୟୁରୋସାଇନ୍ସେସ ବା ନିମହନ୍ସ । ସୂଚନା ଅନୁସାରେ ନବ ଦାସ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସ ଅଗ୍ରାହ୍ୟ କରିଦେଇଛି । ଚୌଦ୍ୱାର ଜେଲରେ ଥିବା ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଏକ ଟିମ୍ ପଠାଇବାକୁ ନିମହନ୍ସକୁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏଥିପାଇଁ ମନା କରିଦେଇଛି ନିମହାନ୍ସ । ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନିମହନ୍ସ ନେବା ପାଇଁ ଝାରସୁଗୁଡା କୋର୍ଟରେ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ନିମହନ୍ସ ଟିମକୁ ଚୌଦ୍ୱାର ଆସି ଗୋପାଳର ମାନସିକ ସ୍ଥିତି ଯାଂଚ କରିବାକୁ ଆବେଦନ କରିଥିବା କ୍ରାଇମବ୍ରାଞ୍ଚର ଆବେଦନକୁ ମଧ୍ୟ ନିମହନ୍ସ ପକ୍ଷରୁ ମନା କରିଦିଆଯାଇଛି । ଜେଲକୁ ଟିମ୍ ପଠାଇ ମାନସିକ ସ୍ଥିତି ଯାଞ୍ଚ କରିବାର ଏମିତି କୌଣସି ସୁବିଧା ନାହିଁ ବୋଲି ନିମହନ୍ସ ପକ୍ଷରୁ କୁହାଯାଇଛି । ଏହାସହ ବେଙ୍ଗାଲୁରୁ ସ୍ଥିତ ନିମହନ୍ସକୁ ଅଣାଗଲେ ମାନସିକ ସ୍ଥିତି ପରୀକ୍ଷା କରାଯାଇ ପାରିବ ବୋଲି ନିମହନ୍ସ କହିଥିବା ସୂଚନା ମିଳିଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଜିଲ୍ଲା ଦୌରାଜଜ କହିଛନ୍ତି, ଅଭିଯୁକ୍ତ ଗୋପାଳ ଦାସ ଜଣେ ପାଗଳ ନୁହେଁ। ତଦନ୍ତ ବେଳେ ସେ ଆଖିରେ ଆଖି ମିଶାଇ ତଦନ୍ତକାରୀ ଟିମକୁ ସାମ୍ନା କରିଛି। ଗୋପାଳର ମାନିସକ ଅବସ୍ଥା ମଧ୍ୟମ ଧରଣର ରହିଛି। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ମେଡିକାଲ ବୋର୍ଡ ରିପୋର୍ଟ କହୁଛି, ଅଭିଯୁକ୍ତ ପାଗଳ ନୁହେଁ। ଏହି ମାମଲାରେ ଗୋପାଳ ପାଗଳ ବୋଲି ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ୍ ସନ୍ଦେହ କରି ପଲିଗ୍ରାଫ, ଏଲଭିଏ ସହିତ ନାର୍କୋ ଟେଷ୍ଟ କରାଇଛି। ଗୁଜରାଟ ଗାନ୍ଧୀନଗରରେ ଥିବା ସାଇଣ୍ଟିଫିକ୍ ଟିମ୍ ଗୋପାଳର ପଲିଗ୍ରାଫ, ନାର୍କୋ ପରୀକ୍ଷା କରିଛନ୍ତି। ହେଲେ ଏଯାବତ ହତ୍ୟାର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। ଗୋପାଳ ଏବେ ଚୌଦ୍ୱାର ଜେଲରେ ରହିଛି। ନିକଟରେ କୋର୍ଟ କ୍ରାଇମବ୍ରାଞ୍ଚର ସଂଶୋଧିତ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ଯେଉଁଥିରେ ଗୋପାଳର ମାନିସକ ପରୀକ୍ଷା କରିବାକୁ ବେଙ୍ଗାଲୁରୁ ନିମହାନ୍ସ ନେବାକୁ କ୍ରାଇମବ୍ରାଞ୍ଚ ଦାବି କରିଥିଲା।

Leave A Reply

Your email address will not be published.