ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାନୁୟାରୀ ୭ରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ କରିବ ଏମ୍ସ ଭୁବନେଶ୍ୱର । ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ପ୍ରବୀଣ ପାୱାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ୨୮୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ୪୦ ଜଣ ଗୋଲ୍ଡ ମେଡାଲ ପାଇବେ ।
ସମାବର୍ତ୍ତନ ଉତ୍ସବ ଅବସରରେ ଏମ୍ସ କ୍ୟାମ୍ପସ ପରିସରରେ ସ୍ଵତନ୍ତ୍ର ବର୍ଣ୍ଣ ସେଣ୍ଟରର ଉଦଘାଟନ ହେବ । ୩୬ ଶଯ୍ୟା ବିଶିଷ୍ଟ ଏହି ବର୍ଣ୍ଣ ସେଣ୍ଟରରେ ଦୁଇଟି ମଡୁଲାର ଓଟି ସହ ଆଇସିୟୁ ରହିବ । ଏଥିରେ ପ୍ଲାଷ୍ଟିକ ସର୍ଜରୀ ୟୁନିଟ ମଧ୍ୟ କାମ କରିବ ।
ଏହାସହ ଏ ଅବସରରେ ୧୫୦ ବେଡ୍ ବିଶିଶ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହେବ । ୨ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବ କ୍ରିଟିକଲ କେୟାର ହସ୍ପିଟାଲ ।
ଏମ୍ସ ହସ୍ପିଟାଲକୁ ପ୍ରତିଦିନ ୧୦ ହଜାରରୁ ୧୨ ହଜାର ରୋଗୀ ଆସୁଛନ୍ତି । ସେମାନଙ୍କ ସୁବିଧା ପାଇଁ କାଉଣ୍ଟରଗୁଡ଼ିକର ବିକେନ୍ଦ୍ରୀକରଣ କରଯାଇଛି । ରୋଗୀଙ୍କ ସୁବିଧା ନିମନ୍ତେ ଏମ୍ସ ହେବ ପେପରଲେସ । ଏଥିପାଇଁ କାର୍ଯ୍ୟକାରୀ ହୋଇଛି ଇ-ହସ୍ପିଟାଲ ବ୍ୟବସ୍ଥା । ପ୍ରାରମ୍ଭିକ ଭାବେ ଏଣ୍ଡୋକ୍ରାଇନୋଲୋଜି, ମେଡିସିନ ଓ ପେଡିଆଟ୍ରିକ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ ହୋଇଛି । ଏହା ଅଧୀନରେ ଏଭିଡେନ୍ସ ବେସଡ ମେଡିସିନ ପ୍ରାକଟିସକୁ ଗୁରୁତ୍ଵ ଦିଆଯାଉଛି । ଏଥିଲାଗି ରୋଗୀଙ୍କ ପଞ୍ଜିକରଣ ଠାରୁ ଆରମ୍ଭ କରି ଟେଷ୍ଟ ଓ ପ୍ରେସ୍କ୍ରିପସନ୍ ଯାଏଁ ସବୁକିଛି ପେପରଲେସ ହେବ । ଖୁବଶୀଘ୍ର ଅନ୍ୟ ସମସ୍ତ ବିଭାଗରେ ଏହି ବ୍ୟବସ୍ଥା ଲାଗୁ ହେବ ଓ ଭିଡ଼ ନିୟନ୍ତ୍ରଣ ହୋଇପାରିବ । ଚଳିତ ବର୍ଷ ଏମ୍ସ ଭୁବନେଶ୍ଵରରେ ଆରମ୍ଭ କର୍ନିଆ, ଲିଭର, କାର୍ଡିଆକ ଓ ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା । ଏଥିପାଇଁ ମଡୁଲାର ଓଟି, ଆଇସିୟୁ ବ୍ୟବସ୍ଥା କରାଯାଉଛି । ଗତ ଦୁଇ ମାସ ଭିତରେ ୪ଟି ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏମ୍ସ ଭୁବନେଶ୍ଵର ଏହି ନିଷ୍ପତ୍ତି ନେଇଛି ।