ଓଡ଼ିଆ ନ୍ୟୁଜ୍: ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ କମିଟି ଘୋଷିତ।୪ଜଣ କାର୍ଯ୍ୟକାରୀ ସଭାପତି ସମେତ ବିଜୁ ଯୁବ ଜନତା ଦଳର ୧୬୦ କର୍ମକର୍ତ୍ତା ଘୋଷିତ।ବିଜୁ ଛାତ୍ର ଜନତା ଦଳର ୫ ଜଣ କାର୍ଯ୍ୟକାରୀ ସଭାପତି ସମେତ ୧୪୫ କର୍ମକର୍ତ୍ତା ଘୋଷିତ। ପ୍ରତିଷ୍ଠା ଦିବସ ପରେ ସଂଗଠନକୁ ଗୁରୁତ୍ୱ ଦେଇ ସଭାପତି ୧୧ଟି ଜିଲ୍ଲା କମିଟି ଘୋଷଣା କରିଥିଲେ ।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ପ୍ରତିଷ୍ଠା ଦିବସରେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସ୍ୱର ଭାବେ କାର୍ଯ୍ୟକରିବ । ତଦନୁଯାୟୀ, ପ୍ରତିଷ୍ଠା ଦିବସ ପରେ ପରେ ୧୧ଟି ଜିଲ୍ଲା କମିଟି ଘୋଷଣା ସହ ଯୁବ ଓ ଛାତ୍ର ଶାଖାର ଏକ ସଶକ୍ତ କମିଟି ଅନୁମୋଦନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳ ଓ ଜିଲ୍ଲାର ଦକ୍ଷ ଓ ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି । ରାଜ୍ୟ ବିଜେପି ସରକାରଙ୍କ ଅବହେଳା ଓ ସମ୍ବେଦନହୀନ ଶାସନ ବିରୋଧରେ ପ୍ରତ୍ୟେକ ସ୍ତରରେ ବିଜୁ ଯୁବ ଜନତା ଦଳ ରାଜ୍ୟବାସୀଙ୍କ ସ୍ୱର ହୋଇ ଦୃଢ ପ୍ରତିବାଦ କରିବ ।
ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଛି । ମହିଳା ବିରୋଧୀ ହିଂସା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଛାତ୍ର ସମାଜର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ସରକାର ଛାତ୍ରବୃତ୍ତି ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି । ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦିଗ୍ଦର୍ଶନରେ, ଛାତ୍ର ବିଜୁ ଜନତା ଦଳର ଏହି ନୂଆ କର୍ମକର୍ତ୍ତାମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନ ବିରୋଧୀ କାର୍ଯ୍ୟ ଓ ବିଫଳତା ବିରୋଧରେ ସଶକ୍ତ ଲଢେଇ ଜାରି ରଖିବ । ସମସ୍ତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଦକ୍ଷ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି । ତୃଣମୂଳସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କମିଟି ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ।