ରାଜ୍ୟ ସରକାରଙ୍କୁ ଟିପିଡବ୍ଲୁଓଡିଏଲ ଓ ନେସ୍କୋ ବଳକା ଅର୍ଥ କେବେ ଦେବେ? ଟାର୍ଗେଟ କଲେ ଦିଲ୍ଲୀପ ମଲ୍ଲିକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଦ୍ୟୁତ ଭିତିଭୂମି ଫସର ଫାଟିଛି । ୨୦ହଜାର କୋଟି ଟଙ୍କା ବ୍ୟୟରେ ଭିତିଭୂମି ବିକାଶ ହେବା ପରିବର୍ତେ ହରିଲୁଟ୍ ହୋଇଛି । ୨୪ଘଂଟିଆ ବିଜୁଳି ସେବା କେବଳ ପ୍ରଚାରରେ ସମିତି । ଗାଁ ଗହଳିରେ ଅଘୋଷିତ ବିଜୁଳିକାଟ ବଳବତର ରହିଛି । ବିନା ନୋଟିସ୍‌ରେ କମ୍ପାନୀର ବିଦ୍ୟୁତ ସଂଯୋଗ ଲୋକଙ୍କୁ ଅତିଷ୍ଠ କରୁଛି । ଟାଟା କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ନିୟାମକ ସଂସ୍ଥା ନୀରବ ଦ୍ରଷ୍ଟା ସାଜିଛି । ରାଜ୍ୟ ସରକାର ସବୁ ଜାଣି ବି ଧ୍ରୁତରାଷ୍ଟ୍ର ପରି ଚୁପ ରହିଛନ୍ତି । ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍‌୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି । ବିଜୁଳି ଭିତିଭୂମିର କାମ ପାଇଁ କେଉଁ ଠିକାଦାରକୁ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ଜଣାନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।

ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପଡିରହିଛି । ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗୁଣ କରିଦେଇଛନ୍ତି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି । ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଶକ୍ତି ବିଭାଗ ମୋଟ ୭୦୧କୋଟି ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ରିଲିଜ୍ କରିଥିଲେ । ସେଥିମଧ୍ୟରୁ ନେସ୍କୋ ୩୪୩କୋଟି ଖର୍ଚ୍ଚର ବିବରଣୀ ଶକ୍ତି ବିଭାଗକୁ ପ୍ରଦାନ କରିଥିବା ବେଳେ ଟିପିଡବ୍ଲୁଓଡିଏଲ ଓ ନେସ୍କୋ ବଳକା ଅର୍ଥ ଶକ୍ତି ବିଭାଗକୁ ଫେରାଇ ନାହାନ୍ତି ଓ କେବେ ଫେରାଇବେ ବୋଲି ଶ୍ରୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ବିଦ୍ୟୁତ ଗ୍ରାହକଙ୍କ ଉପରେ ଆବଂଟନ ଓ ବୈଷୟିକ କ୍ଷତି ବାବଦରେ ପ୍ରତିବର୍ଷ ପ୍ରାୟ ୩୧୨୪କୋଟି ଟଙ୍କା ଅତିରିକ୍ତ ତଥା ଅଯଥାର୍ଥ ବୋଝ ଲଦି ଦେଉଛନ୍ତି ରାଜ୍ୟ ସରକାର । ଗ୍ରାହକମାନେ ମୁଣ୍ଡପିଛା ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପୁଞ୍ଜିନିବେଶ ପ୍ରସଙ୍ଗଟି ଭିନ୍ନ କାରଣରୁ ବିତର୍କ ଆସିଲାଣି । ଭିତିଭୂମି ବାବଦରେ ୨୦ହଜାର କୋଟି ଟଙ୍କାରୁ ଅବଶିଷ୍ଟ ୧୯ହଜାର କୋଟିରୁ ଅଧିକ ଟଙ୍କାର ସଂପତି ଏବେ କେଉଁଠି ଓ କିଭଳି ରହିଛି ତାହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଓ ଏହାର ଉତର ଦିଅନ୍ତୁ ବୋଲି ଶ୍ରୀ ମଲ୍ଲୀକ କହିଛନ୍ତି । ରାଜ୍ୟ ସରକାରଙ୍କ ସୃଷ୍ଟି ହୋଇଥିବା ଭିତିଭୂମି ଅକାମୀ ବୋଲି ଆବଟଂନ କମ୍ପାନୀ ଦର୍ଶାଉଛନ୍ତି । ସରକାର ଓ ଆୟୋଗ କାହିଁକି ନିରବ ରହିଲେ ତାହା ସମୁଦାୟ ପ୍ରସଙ୍ଗକୁ ଅଧିକ ରହସ୍ୟମୟ କରୁଛି ବୋଲି ଶ୍ରୀ ମଲ୍ଳିକ କହିଛନ୍ତି ।

Leave A Reply

Your email address will not be published.