ନିଜେ ଟଙ୍କା ବାଣ୍ଟି ବିଜେପି ଅନ୍ୟ ମୁଣ୍ଡରେ ଦୋଷ ଲଦୁଥିବା ଅଭିଯୋଗ କଲା ବିଜେଡି, ବିଜେପି କଲା କାଉଣ୍ଟର ଆଟାକ୍

0

ଭୁବନେଶ୍ୱର(ଓଡିଆ ନ୍ୟୁଜ୍):  ବିଜେପି ଉପରେ ପୁଣି ବର୍ଷିଲେ ବିଜେଡି ମୁଖପାତ୍ର। ନିର୍ବାଚନରେ ବିଜେପି ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣି ବିଜେଡି ମୁଖପାତ୍ର ସୁଲତା ଦଓ ବିଜେପିକୁ ସିଧା ନିଶାନା କରିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ   ଗଣମାଧ୍ୟମରେ ସ୍ପଷ୍ଟ ଏହା ଦେଖାଯାଉଛି ଯେ ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି  ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏହି ସନ୍ଦେହଜନକ ୩ ଲକ୍ଷ ଟଙ୍କା ବିଜେପିର ନିର୍ବାଚନୀ ଅର୍ଥ ବୋଲି ଦାବି କରୁଛନ୍ତି । ଏହା ଦର୍ଶାଉଛି ଯେ ଏହି ନିର୍ବାଚନରେ ବିଜେପି କେତେ ଟଙ୍କା ବଣ୍ଟନ କରୁଛି, କାରଣ ଏହି ନିର୍ବାଚନରେ ସେମାନେ ହାରିବା ନିଶ୍ଚିତ ଥିବା ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି ଯେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଏହି ନିର୍ବାଚନରେ ଓଡିଶା ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ସେ ବିଜେଡି ଉପରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ଏବଂ ପ୍ରାୟୋଜିତ ନିର୍ବାଚନୀ ହିଂସାକାଣ୍ଡ ଭିଆଇ ଓଡିଶା ଲୋକଙ୍କ ନଜର ହଟାଉଛନ୍ତି ।

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଠାରୁ ଅତି ଶୋଚନୀୟ ଭାବେ ହାରିବା ଜାଣିବା ପରେ ଓଡିଶା ବିଜେପି ଅତ୍ୟନ୍ତ ଭୟଭୀତ ହୋଇଛି ଏବଂ ଆଜିର ସାମ୍ବାଦିକ ସମ୍ମିଳନୀରେ ମହିଳା ଏସ୍‌ଏଚ୍‌ଜି, ମିଶନ ଶକ୍ତି ଏବଂ ଓଡିଶାର ସଶକ୍ତ ମହିଳାଙ୍କୁ ବଦନାମ କରିଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

ସେପଟେ ଅନୁରୂପ ଭାବେ ବିଜେପି ମଧ୍ୟ ବିଜେଡିକୁ ଟାର୍ଗେଟ କରିବାକୁ  ପଛାଇନାହିଁ । ବିଜେପି କହିଛି ପ୍ରାୟ ହିଂସାକାଣ୍ଡ ଓ ବୁଥ୍ ରିଗିଂରେ ଶାସକ ବିଜେଡିର ସଂପୃକ୍ତି ପଦାରେ ପଡିଛି । ବିଜେଡି କର୍ମୀ ହିଂସାକାଣ୍ଡ ଓ ବୁଥ୍ ରିଗିଂ କରୁଥିବାବେ   ପୋଲିସ ପ୍ରଶାସନ ଦେଖି ନଦେଖିଲା ଭଳି ନୀରବଦ୍ରଷ୍ଟା ସାଜିଛି । ପୋଲିସର ହୁଗୁଳା ନୀତି ଯୋଗୁଁ ଅନେକ ସ୍ଥାନରେ ଭୋଟିଂ ବାକ୍ସକୁ ମତଦାନ କେନ୍ଦ୍ରରୁ ବିଜେଡି କର୍ମୀମାନେ ଛଡାଇନେଇ ପୋଖରୀରେ ଫୋପାଡି ଦେବା ଭଳି ଘଟଣା ସାମ୍ନାକୁ ଆସୁଛି ।

ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀ ଏବଂ କେଉଁଠି ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଶାସକ ବିଜେଡି ସପକ୍ଷରେ ଭୋଟ ହାତେଇବା ପାଇଁ ଟଙ୍କା ବାଂଟୁଛନ୍ତି । ପଂଚାୟତ ନିର୍ବାଚନକୁ ଶୃଙ୍ଖଳିତ, ଅବାଧ, ମୁକ୍ତ ଓ ନିରପେକ୍ଷ କରିବାରେ ପୋଲିସର ଅବହେଳା କାରଣରୁ ଗଣତନ୍ତ୍ର ଆଜି ବିପଦରେ ପଡିଛି । ପୋଲିସର ପକ୍ଷପାତିତା କାରଣରୁ ସାଧାରଣ ଭୋଟର ଆଜି ନିଜକୁ ଅସୁରକ୍ଷିତ ମଣି ଭୋଟ ଦେଇପାରୁନାହାନ୍ତି ।

ବହୁ ସ୍ଥାନରେ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅନ୍ୟ ଅଧିକାରୀମାନେ ମିଳିମିଶି ଶାସକ ବିଜେଡି ସପକ୍ଷରେ ଭୋଟ କରାଉଥିବାବେଳେ ପୋଲିସ ତାଙ୍କୁ ପ୍ରତ୍ୟକ୍ଷ ସହାୟତା କରୁଥିବାର ବହୁ ପ୍ରମାଣ ଲୋକଲୋଚନକୁ ଆସିଛି । ଓଡିଶା ପଂଚାୟତ ଆଇନ-୧୯୬୪ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରେ ଥିବା କୈାଣସି ସରକାରୀ କର୍ମଚାରୀ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କିମ୍ବା କାର୍ଯ୍ୟ କରିପାରିବେ ନାହିଁ । ତେଣୁ ଆଇନ ଭଙ୍ଗକାରୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡିଜିଙ୍କ ନିକଟରେ ବିଜେପି ଦାବୀ ଜଣାଇଛି ।

Leave A Reply

Your email address will not be published.