ଅଘୋଷିତ ବିଦ୍ୟୁତକାଟ ବିରୁଦ୍ଧରେ ପ୍ରତିବାଦ, ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲା ଭୁବନେଶ୍ୱର ଜିଲ୍ଲା ବିଜେପି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର କହୁଛନ୍ତି। ତାହେଲେ ବିଦ୍ୟୁତ ବଳକା ରାଜ୍ୟରେ ବାରମ୍ବାର ବିଜୁଳି କାଟ୍ କାହିଁକି ହେଉଛି? ଗ୍ରାମାଂଚଳ ସମେତ ସହରାଂଚଳ ଏବଂ ରାଜଧାନୀ ଭୁବନେଶ୍ୱରରେ ଘନ ଘନ ବିଜୁଳି କାଟ୍,ଲୋ ଭୋଲଟେଜର ଶିକାର ଉପଭୋକ୍ତା କାହିଁକି ହେଉଛନ୍ତି ଏହା ବିରୁଦ୍ଧରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଦାବୀପତ୍ର ପ୍ରଦାନ କରାଯଇଛି।

ମହାମହିମ ରାଷ୍ଟ୍ରପତିଙ୍କ ସଭାରେ ‘ପାୱାର କଟ୍’ ହେବା ଦ୍ୱାରା ଦେଶରେ ଓଡିଶାବାସିଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ମାତ୍ର ଗତ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଂଟର କଂଟିନେଂଟାଲ ଫୁଟବଲ୍ ମ୍ୟାଚ ସମୟରେ ବାରମ୍ବାର ‘ପାୱାର କଟ୍’ ହେବା ଦ୍ୱାରା ଖେଳ ବାଧାପ୍ରାପ୍ତ ହେବା ସହିତ ସମଗ୍ର ବିଶ୍ୱରେ ଓଡିଶାବାସୀ ନିନ୍ଦିତ ହେଲେ ।

ଟାଟା କଂପାନୀ ନିଜ ଲାଭ ପାଇଁ ଓଡିଶାରେ ବିତରଣ ଦାୟୀତ୍ୱ ନେଇଛି । କିନ୍ତୁ ଓଡିଶା ସରକାର ଫାଇଦା ବା ଲାଭ ପାଇଁ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଉଚିତ୍ । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କଂପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ରାଜ୍ୟ ସରକାର।

ବିଜୁଳି ଭିତିଭୁମିର ବିକାଶ ପାଇଁ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ କେବଲିଙ୍ଗ ପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ସଂଗ୍ରହ ହୋଇଥିବା ୨୭୨୭କୋଟି ଟଙ୍କାକୁ ଓଇଆରସିର ତାଗିଦ୍ ପରେ ମଧ୍ୟ ଫେରାଇ ନାହାନ୍ତି ରାଜ୍ୟ ସରକାର।

ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପାଖାପାଖି ୪୦ ହଜାର ୨୨୭ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ଦିନକୁ ୪୦ ଥର ‘ପାୱାର କଟ୍’ ହେବା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ଏହି ବ୍ୟାପକ ମାତ୍ରାର ଅର୍ଥକୁ ବିଜେଡି ମନ୍ତ୍ରୀ, ନେତା, ଅଫିସର ଏବଂ ତୃତୀୟ ମହଲାର ଅଧିକାରୀମାନେ ମିଳିମିଶି ଲୁଟ୍ କରିଛନ୍ତି।

ପାଖାପାଖି ୨୦ ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ ପିଛା ୪ଟଙ୍କା ୯୯ ପଇସା ଦେଉଥିବାବେଳେ ଓଡିଶାରେ ଉପଭୋକ୍ତାମାନେ ୫ଟଙ୍କା ୨୨ ପଇସା ଦେଉଛନ୍ତି । ବିଦ୍ୟୁତ ବଳକା ରାଜ୍ୟ ଓଡିଶାର ଉପଭୋକ୍ତା କାହିଁକି ଅଧିକ ଟଙ୍କା ଦେବେ ? ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରି ରାଜ୍ୟ ସରକାର ଅଧିକ କଂପାନୀ ପ୍ରୀତି କାହିଁକି କରୁଛନ୍ତି?

Leave A Reply

Your email address will not be published.