ଧାନ କିଣା ଅର୍ଥକୁ ନେଇ ବିଜୁ ଜନତା ଦଳର ସାଂସଦମାନଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି, ଚାଷୀ ଅସନ୍ତୋଷରୁ ବଂଚିବା ପାଇଁ ବିଜୁ ଜନତା ଦଳ କରୁଛି ନୁଆ ସୁଆଙ୍ଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଧାନ କିଣାର ପଇସା ପାଇବାକୁ ନେଇ ବିଜୁ ଜନତା ଦଳର ସାଂସଦମାନେ ଯେଉଁ ଚିଠି ଲେଖିଛନ୍ତି, ତାହା କେବଳ ଚାଷୀମାନଙ୍କ ଆକ୍ରୋଶରୁ ବଂଚିବା ପାଇଁ ବିଜୁ ଜନତା ଦଳର ନୁଆ ସୁଆଙ୍ଗ । ସବୁବେଳେ ଆମେ ଦେଉଛୁ, ଆମ ନିଜସ୍ୱ ଯୋଜନାରେ କରୁଛୁ ବୋଲି କହି ଓଡିଶାବାସୀଙ୍କୁ ଭୁଆଁ ବୁଲାଉଥିବା ବିଜୁ ଜନତା ଦଳ ଏବେ ମାନିଲା ଯେ, ରାଜ୍ୟରେ ଯେଉଁ ଧାନ କିଣା ହେଉଛି ତାର ସମସ୍ତ ଅର୍ଥ କେନ୍ଦ୍ର ସରକାର ଦିଅନ୍ତି ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ନାଉରୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ସବୁ ଅଂଚଳରେ ଏବେ ଧାନ କିଣାକୁ ନେଇ ଚାଷୀମାନେ ନାନା ପ୍ରକାରର ସମସ୍ୟାରେ ଜର୍ଜରିତ । ମଣ୍ଡରେ କଟନୀ ଛଟନୀ ନାଁରେ ଚାଷୀମାନଙ୍କଠାରୁ କ୍ୱିଂଟାଲ ପଛା ୧୦ ରୁ ୧୨ କେଜି ଧାନ କଟାଯାଉଛି, ମଣ୍ଡିରେ ଚାଷୀମାନଙ୍କର ଟୋକନ ଲାପ୍ସ ହୋଇଯାଉଛି । କେନ୍ଦ୍ର ସରକାରଙ୍କ ଧାନ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ଦେଉଥିବାବେଳେ ଚାଷୀମାନେ ରାଜ୍ୟ ସରକାରଙ୍କର ମିଲ୍ ମାଲିକମାନଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ୧୨୦୦ ରୁ ୧୫୦୦ ଟଙ୍କାରେ ବାହାରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଏ ସମସ୍ତ ପ୍ରକାରର ଚାଷୀମାନଙ୍କ ଆକ୍ରୋଶରୁ ବଂଚିବା ପାଇଁ ବିଜୁ ଜନତା ଦଳର ଏହା ନୂଆ ବାହାନା ବୋଲି ଶ୍ରୀ ନାଏକ କହିଛନ୍ତି ।
କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଧାନ କିଣା ବାବଦରେ ଓଡିଶା ସମେତ ଦେଶର ସମସ୍ତ ରାଜ୍ୟ ପାଇଁ ୧ ଲକ୍ଷ ୪୨ ହଜାର କୋଟି ଟଙ୍କାର ପ୍ରାବଧାନ କରିଥିଲେ । ସେଥିରୁ ଓଡିଶା ପାଇଁ ୧୦ ହଜାର ୬୯୧ କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋ୍‌ଜନାରେ ୨୦୨୦-୨୧ରେ ୪୭୯୭ କୋଟି, ୨୦୨୧-୨୨ରେ ୬୧୨୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହା କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟସଭାରେ ଗତ ୨୨ ଜୁଲାଇ ୨୦୨୨ରେ ଲିଖିତ ଆକାରରେ ଉତର ଦେଇଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି ।

Leave A Reply

Your email address will not be published.