ଜେଲ୍‌ରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ବିଜେପି ନେତୃମଣ୍ଡଳୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଭିନ୍ନ ଷଡଯନ୍ତ୍ର ରଚି ବିରୋଧୀଙ୍କ ସ୍ୱରକୁ ଚାପି ଦେବାର ପ୍ରୟାସ ଜାରୀ ରଖିଛି ବିଜେଡି ସରକାର । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ପର୍ଦ୍ଦାଫାଶ ଦାବୀରେ ଆନ୍ଦୋଳନରତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ ୩୦୭ ଦଫା ଲଗାଇ ଜେଲରେ ଭର୍ତି କରିଦେବା ଭଳି ଘଟଣା ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି । ରାଜ୍ୟବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥ ପାଇଁ ଲଢେଇ କରି ଅନ୍ୟାୟ ଭାବେ ଗିରଫ ହୋଇ ଜେଲରେ ଥିବା ଯୁବ ସାଥୀମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ବରଂ ସ୍ୱେଚ୍ଛାଚାରୀ ବିଜେଡି ଶାସନର ଅନ୍ତ ଘଟାଇବା ପାଇଁ ଆରମ୍ଭ ହୋଇଥିବା ଲଢେଇକୁ ଆହୁରି ଶାଣିତ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗିରଫ ହୋଇ ଜେଲରେ ଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଯୁବମୋର୍ଚ୍ଚା ଯେଉଁ ସଂଗ୍ରାମ ଚଳାଇଛି ତାହାକୁ ରାଜ୍ୟବାସୀ ସମର୍ଥନ ଜଣାଇଛନ୍ତି । ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ମାନସିକ ବଳ ସୁଦୃଢ଼ ଅଛି । ଓଡିଶାର ଶତାଧିକ ଯୁବକ ଯୁବମୋର୍ଚ୍ଚାର ଏହି ଆନ୍ଦୋଳନ ପଛରେ ଦୃଢତାର ସହ ଛିଡା ହୋଇଛନ୍ତି । ତାଙ୍କ ସ୍ୱରକୁ ରାଜ୍ୟ ସରକାର ଚପାଇ ପାରିବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ  ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ରଶ୍ମିରଂଜନ କାନୁନଗୋ, ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.