ମନ୍ତ୍ରୀଙ୍କ ଅଞ୍ଚଳରେ ଜିଲ୍ଲା ପରିଷଦ ଉପନିର୍ବାଚନରେ ଜିତିଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ଉପନିର୍ବାଚନରେ ଜିତିଲା ବିଜେପି ।  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିଧାନସଭା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ବାଜିମାତ୍ କରିଛି । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଯୋଗୁ ଏହି ଉପନିର୍ବାଚନ ହୋଇଥିଲା। ଶ୍ରୀ ସାହୁଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ବିବାଦ ଘେରକୁ ଆସିଥିଲେ । ମିଳିଥିବା ସୂଚନା ଅନୁସାରେ, ନିମାପଡ଼ା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ୍ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ରାୟ ୧୧,୨୪୦ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଭାଗିରଥୀ ସେନାପତିଙ୍କୁ ୧୭୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ବିଜେଡିର ଶ୍ରୀ ସେନାପତିଙ୍କୁ ୧୧୦୬୪ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ୧୦୨୪ଖଣ୍ଡ, ଅଶୋକ କୁମାର ଦାସଙ୍କୁ ୩୫ ଖଣ୍ଡ, ଅଜୟ କୁମାର ଭଟ୍ଟଙ୍କୁ ୯ ଖଣ୍ଡ, ବିଶ୍ୱଜିତ୍ ମହାନ୍ତିଙ୍କୁ ୫୮ ଖଣ୍ଡ, ସୁବାସ ଚନ୍ଦ୍ର ଜେନାଙ୍କୁ ୨୩ ଖଣ୍ଡ ଓ ଲକ୍ଷ୍ମୀପ୍ରିୟା ଦାସଙ୍କୁ ୯୯ ଖଣ୍ଡ ଭୋଟ୍ ମିଳିଛି। ମୋଟ ୨୩,୬୫୦ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ୨୯୩ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି ।

ଏହି ଜିଲ୍ଲା ପରିଷଦ ଉପନିର୍ବାଚନ ଫଳାଫଳ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦୀୟ ମନ୍ତ୍ରୀ ଶ୍ରୀ ଦାଶ ଯେନତେନପ୍ରକାରେ ନିଜର ମନ୍ତ୍ରୀପଦ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଉପନିର୍ବାଚନରେ ବିଜୟୀ କରିବାରେ ବିଫଳ ହୋଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଏକ ଅଡିଓ ରେକର୍ଡରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହ ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ୍ କରାଯାଉଥିବାର ସୂଚନା ଦେଇଥିଲେ । ତେବେ କମିଶନରେଟ ପୁଲିସ ଏହି ମାମଲାରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ପଚରାଉଚୁରା ତ ଦୂରର କଥା ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିନଥିଲା । ଯଦିଓ ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ମାମଲାରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । କିନ୍ତୁ ଶାସକ ବିଜେଡି ଏସବୁକୁ ବେଖାତିର କରି ମନ୍ତ୍ରୀ ଶ୍ରୀ ଦାଶଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା । ମାତ୍ର ଆଜି ଉପନିର୍ବାଚନ ଫଳାଫଳ ଉଭୟ ବିଜେଡି ଓ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଶକ୍ତ ଝଟ୍କା ଦେଇଛି  ।

Leave A Reply

Your email address will not be published.