ରାଜ୍ୟ ବିଜେପିର ନୂଆ ପ୍ରଭାରୀ, ଗଲେ ପୁରନ୍ଦେଶ୍ୱରୀ ଆସିଲେ ସୁନୀଲ ବଂଶଲ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ବିଶ୍ୱସ୍ତ ୫୨ ବର୍ଷୀୟ ସୁନୀଲ ବଂଶଲଙ୍କୁ ଓଡ଼ିଶା ବିଜେପି ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଉତ୍ତର ପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ(ସାଂଗଠନିକ) ଥିବା ବଂଶଲଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ତିନି ତିନୋଟି ରାଜ୍ୟର ଦାୟିତ୍ୱ ସହ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଦିନକ ପରେ ତାଙ୍କର ଖାସ୍ ସହଯୋଗୀ ଏବଂ ଅତି ବିଶ୍ୱସ୍ତ ସୁନୀଲ ବଂଶଲଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯିବା ରାଜନୈତିକ ଗୁରୁତ୍ୱ ବହନ କରୁଛି । ଡି. ପୁରନ୍ଦେଶ୍ୱରୀଙ୍କ ଜାଗାରେ ସେ ଓଡ଼ିଶା ବିଜେପିକୁ ସମ୍ଭାଳିବେ । ଦିଗଦର୍ଶନ ଦେବେ ।
ଓଡ଼ିଶାରେ ବିଜେପିର ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପକୁ ନେଇ ଅମିତ ଶାହ ଆଦୌ ସନ୍ତୁଷ୍ଟ ନାହାନ୍ତି । ଦିନିକିଆ ଓଡ଼ିଶା ଗସ୍ତର ଶେଷରେ ସେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଦଳର ସ୍ଥିତି ସମୀକ୍ଷା କରିଥିଲେ । ୨୦୨୪ ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ ବୋଲି ସେ ବାହାରେ ଦମ୍ଭ ଦେଖାଇଥିଲେ ମଧ୍ୟ ବାସ୍ତବରେ ସ୍ଥିତି ସେୟା ନାହିଁ ବୋଲି ତାଙ୍କର ଅନୁଭବ ହୋଇଥିଲା । ବିଶେଷକରି ଦଳୀୟ କନ୍ଦଳ ଓ କିଛି ନେତାଙ୍କ ହାମବଡ଼ା ନୀତି ତାଙ୍କ ଦୃଷ୍ଟିକୁ ଆସିଥିଲା । ଏଥିରେ ସେ ବିରକ୍ତି ପ୍ରକାଶ କରିବା ସହ ରାଜ୍ୟ ନେତାଙ୍କୁ ଟାକ୍ସ ଦେଇ ଦିଲ୍ଲୀ ଫେରିଯାଇଥିଲେ ।ତାଙ୍କ ଗସ୍ତର ଦିନକ ପରେ ରାଜ୍ୟ ପ୍ରଭାରୀ ଭାବେ ବଂଶଲଙ୍କୁ ନିଯୁକ୍ତି ମିଳିଥିବାରୁ ଓଡ଼ିଶା ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ଅମିତ ଶାହଙ୍କ ଯୋଜନା ସ୍ପଷ୍ଟ ହୋଇଛି । ଏଥିପାଇଁ ବିଜେପି କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ।

ସୂଚନାଥାଉକି ବିଜେପିର ଜଣେ ଦକ୍ଷ ସଂଗଠକ ଭାବେ ସୁନୀଲ ବଂଶଲଙ୍କର ଖ୍ୟାତି ରହିଛି । ୨୦୧୪ ସାଧାରଣ ନିର୍ବାଚନ ବେଳେ ତାଙ୍କ ଉପରେ ଉତ୍ତର ପ୍ରଦେଶ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ୨୦୧୭ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ପଛରେ ଅମିତ ଶାହଙ୍କ ସହଯୋଗୀ ଭାବେ ତାଙ୍କର ବିଶେଷ ଭୂମିକା ଥିଲା । ୟୁପି ବିଜେପି ୟୁନିଟ୍ ର ସାଧାରଣ ସମ୍ପାଦକ (ସାଂଗଠନିକ) ଭାବେ ଗତ ନିର୍ବାଚନରେ ମଧ୍ୟ ତାଙ୍କର ଅଗ୍ରଣୀ ଭୂମିକା ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କାମ କରିଥିଲେ ।

Leave A Reply

Your email address will not be published.