ଚାନ୍ଦବାଲି ବିଡିଓଙ୍କୁ ମାଡ ମରା ଘଟଣା: ବିଜେପି ପ୍ରଶ୍ନ କଲା ବିଜେଡି ବିଧାୟକଙ୍କ ସର୍ମ୍ପକୀୟ କ’ଣ ଆଇନର ଉପରେ କି?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ଆଇନ ତା ବାଟରେ ଯିବ ବୋଲି । ହେଲେ ଓଡିଶାରେ କେବେ ବି ଆଇନ ତା ବାଟରେ ଯାଏ ନାହିଁ । ମମିତା ମେହେର ହତ୍ୟାକାଣ୍ଡ ହେଉ, ପରି ହତ୍ୟାକାଣ୍ଡ ହେଉ ଅବା ମାହାଙ୍ଗା ଡବଲ ମର୍ଡର ହେଉ, ଯେଉଁ ଯେଉଁ ଘଟଣାରେ ବିଜୁ ଜନତା ଦଳର ବିଧାୟକମାନଙ୍କର ସମ୍ପୃକ୍ତି ଥିଲା ସେ ସବୁ ଘଟଣାରେ ଆଇନ ଦୋଷୀ ବିଧାୟକମାନଙ୍କ ପାଖରେ ପହଂଚିପାରିଲା ନାହିଁ । ଲାଗିଲା ଯେମିତି ବିଜୁ ଜନତା ଦଳର ବିଧାୟକମାନେ ଆଇନର ଉପରେ, ହେଲେ ଏବେ ବିଧାୟକଙ୍କ ଶାଳକ, ଶ୍ୱଶୁରମାନେ ବି ଆଇନର ଉପରେ ହୋଇଗଲେଣି ।

କିଛି ଦିନ ତଳେ ଚାନ୍ଦବାଲିର ବିଡିଓଙ୍କୁ ସର୍ବ ସମ୍ମୁଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଶାଳକ, ଶ୍ୱଶୁର ଓ ବିଜୁ ଜନତା ଦଳର ଜଣେ ଜିଲ୍ଲା ପରିଷଦ ସଭ୍ୟ ମାଡ ମାରିଲେ । ଏନେଇ ପୋଲିସ ଏଫଆଇର ମଧ୍ୟ ରୁଜୁ କରିଛି ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତ ସମୟରେ ଅଭିଯୁକ୍ତ ୩ ଜଣ ଯାକ ଭଦ୍ରକରେ ବୁଲୁଥିଲେ ହେଲେ ପୋଲିସ ସେମାନଙ୍କୁ ଧରିଲା ନାହିଁ । ବିଜେଡି ବିଧାୟକଙ୍କ ସର୍ମ୍ପକୀୟ ହୋଇଗଲେ ବୋଲି କଣ ସେମାନେ ଆଇନର ଉପରେ କି ବୋଲି ଆଜି ପ୍ରଶ୍ନ କରିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଚାନ୍ଦବାଲି ବିଧାୟକ ଆଗରୁ ନିଜର ଅଭଦ୍ର ଓ ଅପରାଧିକ ଆଚ୍ଚରଣ ପାଇଁ ନିନ୍ଦିତ ହୋଇଛନ୍ତି । କିଛି ଦିନ ତଳେ ବିଧାୟକ ନିଜେ ଏହି ସେହି ବିଡିଓଙ୍କୁ ଅପଦସ୍ଥ କରିବା ପାଇଁ ଯାଇ ତାଙ୍କ ଚେୟାରରେ ବସିଯାଇଥିଲେ । ପରେ ସେହି ବିଡିଓଙ୍କୁ ନିଜ ସର୍ମ୍ପକୀୟଙ୍କ ଦ୍ୱାରା ମାଡ ମରାଇଲେ । ଆଗରୁ ୨୦୧୯ ମସିହାରେ ହୋଇଥିବା ଚାନ୍ଦବାଲି ବିଶାକ୍ତ ମଦ ମୃତ୍ୟୁ ଘଟଣାରେ ଯେଉଁଥିରେ ୯ ଜଣ ଲୋକଙ୍କ ଜୀବନ ଯାଇଥିଲା ସେଥିରେ ବିଧାୟକଙ୍କ ସମ୍ପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ସେହିପରି ୨୦୧୬ ମସିହାରେ ନିଜେ ବ୍ୟୋମକେଶ ବିଧାନସଭା ଭିତରେ ଜାତୀୟ ସଙ୍ଗୀତ ପ୍ରତି ଅବମାନନା କରି ପରେ ଜେଲ ଦଣ୍ଡ ଭୟରେ କ୍ଷମା ମାଗିଥିଲେ ।

୨୦୨୨ରେ ଦିଲ୍ଲୀ ବିମାନ ବନ୍ଦରରେ ନିଜେ ବ୍ୟୋମକେଶ ରାୟ ଓ ଆଉ କିଛି ବିଜେଡି ବିଧାୟକ ନିଜର ହିତାହିତ ଜ୍ଞାନ ଭୁଲିଯାଇ ହଙ୍ଗାମା କରିବାରୁ ତାଙ୍କ ପାଇଁ ଏକ ବିମାନ ଦିଲ୍ଲୀରୁ ଛାଡିବାରେ ଅଧ ଘଂଟା ବିଳମ୍ବ ହୋଇଥିଲା । ପରେ ବିମାନ ଚାଳକ ଏମାନଙ୍କୁ ସେଦିନ ଆଣିଲେ ନାହିଁ । ସେମାନଙ୍କର ଲଗେଜ ସେଦିନ ରାତିରେ ଆସିଥିଲା ହେଲେ ସେମାନେ ଆସିଲେ ତାର ପରଦିନ ସକାଳେ । ତେଣୁ ଏଭଳି କାଣ୍ଡ କାରନାମା କରୁଥିବା ବିଧାୟକଙ୍କ ସର୍ମ୍ପକୀୟମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ତାହା ଭଦ୍ରକ ବାସି ଆଜି ପଚାରୁଛନ୍ତି ।

Leave A Reply

Your email address will not be published.