ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର ଗୋଣ୍ଡାରେ ଆଜି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍ ଟ୍ରେନ୍ର ୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଟ୍ରେନ ନମ୍ବର ୧୫୯୦୪ ଚଣ୍ଡିଗଡ଼ରୁ ଲୋକଙ୍କୁ ଧରି ଆସାମର ଦିବ୍ରୁଗଡ଼ ଯାଉଥିଲା। ଦୁର୍ଘଟଣାକୁ ନେଇ ରେଳବାଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି।
ଏହି ଦୁର୍ଘଟଣା ହେତୁ ଏହି ମାର୍ଗ ଦେଇ ଯାଉଥିବା ୧୧ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି। ବୁଧବାର ରାତି ୧୧.୩୫ରେ ଚଣ୍ଡିଗଡ଼ ଛାଡ଼ିଥିବା ଏହି ଟ୍ରେନ୍ ଆସାମର ଦିବ୍ରୁଗଡ଼ ଯାଉଥିଲା। ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ ଏବଂ ଝିଲାହି ରେଳ ଷ୍ଟେସନ୍ ମଧ୍ୟବର୍ତ୍ତୀ ଅଂଚଳରେ ଆଜି ଅପରାହ୍ନ ୨ଟା ୩୫ରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ ବିଭାଗର ଶୀର୍ଷ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅତି କମ୍ରେ ୧୫ଟି ଆମ୍ବୁଲାନ୍ସ ଏବଂ ୪୦ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ୍ ଘଟଣାସ୍ଥଳକୁ ପଠାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏସ୍ଡିଆରଏଫ୍ ଟିମ୍ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଟ୍ରେନ୍ର ୨ ଜଣ ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି। ତେବେ ସୋସିଆଲ ମିଡିଆରେ ଦୁର୍ଘଟଣାର ଭିଡିଓ ମଧ୍ଯ ଭାଇରାଲ ହେବାରେ ଲାଗିଛି। ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଯାତ୍ରୀମାନେ ସେମାନଙ୍କ ଲଗେଜ୍ ଧରି ରେଳ ଟ୍ରାକ୍ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି।
Comments are closed.