ଏଣିକି ବିଦେଶରେ ପିଲା ଶିଖିବେ ଓଡ଼ିଆ ଭାଷା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ବିଦେଶରେ ରହୁଥିବା କିମ୍ବା ବିଦେଶରେ ଜନ୍ମ ଗ୍ରହଣ କରୁଥିବା ଓଡ଼ିଆ ପିଲାମାନେ ଓଡ଼ିଆ ଭାଷା ଶିଖିବେ । ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ। ଏନେଇ ଗୁରୁବାର ରାଜ୍ୟ ସଂସ୍କୃତି ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଲୋଚନା ହୋଇଛି। ସାଧାରଣତଃ ରାଜ୍ୟ ବାହାରକୁ ଯାଉଥିବା ବ୍ୟକ୍ତି ହୁଅନ୍ତୁ ଅବା ଛୋଟପିଲାମାନେ ଧିରେ ଧିରେ ଓଡ଼ିଆ ଭାଷା ଠାରୁ ଅନେକ ଦୂରକୁ ଚାଲିଯାଉଛନ୍ତି। ଶିକ୍ଷା ହେଉ ଅବା ଦୈନନ୍ଦିନ ଜୀବନରେ ଏମିତିକି ପରିବାର ସଦସ୍ୟଙ୍କ କଥୋପକଥନ ସମୟରେ ମଧ୍ୟ ଓଡ଼ିଆ ବଦଳରେ ସେଠାକାର ଆଞ୍ଚଳିକ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି।

ଫଳରେ ପିଢ଼ି ପରେ ପିଢ଼ି ଓଡ଼ିଆ ଭାଷାର ବ୍ୟବହାର, ଓଡ଼ିଆ ସଂସ୍କୃତି, ପରମ୍ପରା ସମ୍ପର୍କରେ ବିଶେଷ କିଛି ଜାଣି ପାରିନଥାନ୍ତି। ତେଣୁ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଓଡ଼ିଆ ପିଲାମାନେ କିଭଳି ସହଜରେ ଓଡ଼ିଆ ଭାଷା ଶିଖିପାରିବେ ଏବଂ ଶିଶୁମାନେ ଶୈଶବରୁ କିଭଳି ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷା, ସଂସ୍କୃ୍‌ତି, ପରମ୍ପରା, ଚାଲି ଚଳଣୀ ଆଦିର ଛାପ ରହିବ ସେଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି। ତେବେ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତି କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହାଦ୍ୱାରା ରାଜ୍ୟ ତଥା ଦେଶ ବାହାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଆଦି ବିଷୟରେ ମଧ୍ୟ ପିଲାମାନେ ଜାଣିବେ। ଓଡ଼ିଆ ଭାଷାକୁ ପିଲାମାନଙ୍କ ପାଠ୍ୟକ୍ରମରେ ସାମିଲ କରାଯିବାକୁ ଯୋଜନା କରାଯିବା ସହ ଏଥିପାଇଁ ଏକ ୬ମାସିଆ ଅନଲାଇନ୍‌ କୋର୍ସ ରଖାଯିବ।

କୋର୍ସ ଶେଷ ପରେ ପରୀକ୍ଷା କରାଯାଇ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଯାହାଦ୍ୱାରା ଓଡ଼ିଆ ପିଲାମାନଙ୍କ ମଧ୍ୟରେ ନିଜ ମାତୃଭାଷା ପ୍ରତି ଆଗ୍ରହ ବଢ଼଼ିବା ସହ ସେମାନଙ୍କ ପାଖରେ ଓଡ଼ିଆ ଭାଷା ଶିକ୍ଷାଲାଭ କରିଥିବାର ଏକ ପ୍ରମାଣପତ୍ର ରହିବ। ତେବେ ଏନେଇ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.