ବିଜୁଳି ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, ୧୯  ତରିଖରେ ଗ୍ରିଡକୋ ଅଫିସ ଘେରାଉ କରିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବିଜୁଳି ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୯  ତରିଖରେ ଗ୍ରିଡକୋ ଅଫିସ ଘେରାଉ କରିବ । ପରେ ସମସ୍ତ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ଓଡ଼ିଶାର ଜନସାଧାରଣଙ୍କ ସହ ଛଲଣାର ଖେଳ ଖେଳୁଛନ୍ତି ଉଭୟ ବିଜେପି ଓ ବିଜେଡ଼ି । ବିଜେପି ଓ ବିଜେଡ଼ି ପ୍ରତିଯୋଗିତା କରୁଛନ୍ତି ଲୋକଙ୍କୁ ହଇରାଣ କରିବାକୁ। ବିଜେଡି ଗ୍ୟାସ ପାଇଁ ଓ ବିଜେପି ବିଦ୍ୟୁତ୍ କଥା କହି ଖେଳ ଖେଳୁଛନ୍ତି। 20 ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡିବାକୁ ଦେଇଛନ୍ତି। ୫ ହଜାର କୋଟି ଟଙ୍କା ଟାଟା କୁ ଦିଆଯାଇଛି। ଆଉ 15 ହଜାର କୋଟି କୁଆଡେ ଗଲା। ପୁରୁଣା ଭିତ୍ତିଭୂମି ରେ ଚାଲିଛି ସେବା।

ପ୍ରତିଶୃତି ପରେ ପ୍ରତିଶୃତି କିନ୍ତୁ ଗୋଟିଏ ବି ପ୍ରତିଶୃତି ପାଳନ କରିବାରେ ରାଜ୍ୟରେ ବିଜେଡ଼ି ସରକାର ସଂପୂର୍ଣ୍ଣରୂପେ ବିଫଳ । ଜନଶୋଷଣ ଓ ମାରଣ ହେଉଛି ଏ ସରକାରର ମୂଳ ମନ୍ତ୍ର ଓ ନିଷ୍ପତି । ଓଡ଼ିଶା ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱଳ୍ପ ଦରରେ ବିଦ୍ୟୁତ ଯୋଗାଇବା । କିନ୍ତୁ ପରିସ୍ଥିତି ଆଜି ସଂପୂର୍ଣ୍ଣ ଓଲଟା । ଓଡ଼ିଶାର ବିଦ୍ୟୁତ ଦର ସବୁଠାରୁ ଅଧିକ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ବାରମ୍ବାର କହୁଛନ୍ତି ଯେ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ । କିନ୍ତୁ କାହିଁକି ଏଠି ବିଦ୍ୟୁତ ଦାମ ୟୁନିଟ ପିଛା ଏତେ ଅଧିକ ବୋଲି ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଏ ପ୍ରଶ୍ନ ପଚାରିଛନ୍ତି ।

ଶରତ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ବିଦ୍ୟୁତ ଭିର୍ତିଭୂମିର ଉନ୍ନତିକରଣ କରିବାପାଇଁ ଗତ ୧୦ ବର୍ଷ ଭିତରେ ଖର୍ଚ୍ଚ କରିଛନ୍ତି ବୋଲି ଦାବି କରୁଛନ୍ତି । କିନ୍ତୁ ଏହି ୨୦ ହଜାର କୋଟି ଟଙ୍କା ମଧ୍ୟରୁ ୫ ହଜାର କୋଟି ଟଙ୍କା ଟାଟାପାୱାରକୁ ଭିର୍ତିଭୂମି ସଜାଡ଼ିବା ଓ ଉନ୍ନତିକରଣ କରିବାପାଇଁ ଦିଆଯାଇଛି ବୋଲି କୁହାଯାଇଛି । ତାହାହେଲ ବାକି ୧୫ ହଜାର କୋଟି ଟଙ୍କା କେଉଁ କେଉଁ କ୍ଷେତ୍ରରେ ଖର୍ଚ୍ଚ ହୋଇଛି, କେଉଁ ବର୍ଷରେ କେତେ ହୋଇଛି ତାହାର ଏକ ସଂପୂର୍ଣ୍ଣ ହିସାବ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଦିଅନ୍ତୁ । ଯଦି ରାଜ୍ୟ ସରକାରଙ୍କର ସ୍ୱଚ୍ଛତା ପ୍ରତି ବିଶ୍ୱାସ ଅଛି ତାହାହେଲେ ଅବିଳମ୍ବେ ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଶରତ ପଟ୍ଟନାୟକ ଦାବି କରିଛନ୍ତି । ଟାଟା ପାୱାର ବିଲିଂ ଡେଟ ଗୋଟିଏ ଡେଟରେ କରୁ । ବିଭିନ୍ନ ଡେଟରେ କରି ଲୋକଙ୍କ ପାଖରୁ ଶୋଷଣ ବନ୍ଦ କରୁ । ପ୍ରତଦିନ ଘଂଟା ଘଂଟା ବିଦ୍ୟୁତ କାଟ ଖୋଦ ରାଜଧାନୀରେ ହେଉଛି ଗାଁଗଣ୍ଡା କଥା ପଚାରୁଛି କିଏ ।

ଗାଁରେ ଗୋଟେ ଗୋଟେ ଦିନ ଧରି ବିଦ୍ୟୁତ ରହୁ ନାହିଁ କିନ୍ତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ ହେଉନାହିଁ । ସଚିବ ଅଲଗା କଥା କହୁଛନ୍ତି । ଏ ସରକାରଙ୍କର ମନ୍ତ୍ରୀ ଓ ସଚିବକଙ୍କ କଥାରେ ତାଳମେଳ ନାହିଁ । ରାଜ୍ୟରେ ଲୋ ଭୋଲେଟେଜ୍ ଯୋଗୁ ଆଲୁଅ ଥାଇ ମଧ୍ୟ ଜନସାଧାରଣ ଅନ୍ଧାରରେ କଷ୍ଟ ପାଉଛନ୍ତି । ଟାଟାପାୱାର ପାଖରେ ଏ ସରକାର ସଂପୂର୍ଣ୍ଣ ବନ୍ଧା ପଡ଼ିଛି । ରାଜନୈତିକ ପାଣ୍ଠି ଆଦାୟ ଯୋଗୁଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟେ ପଟେ ବିଦ୍ୟୁତ ଦେୟ ରାଜ୍ୟରେ ୨୫୦ ବୃଦ୍ଧି ପାଇଥିଲା ବେଳେ ଏହି ୯ ବର୍ଷ ଭିତରେ ଗ୍ୟାସ ଦାମ ୨୬୯% ବୃଦ୍ଧି ପାଇଛି । ଉଭୟ ଦଳ ମିଶିକରି ଓଡ଼ିଶାର ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଲୁଟ କରୁଛନ୍ତି ଏବଂ ମିଛରେ ରାଜରାସ୍ତାରେ ବୟାନବାଜି କରୁଛନ୍ତି ।

ଟାଟା ପାୱାର ଗୁଣ୍ଡାମି ଓ ଜୋରଜୁଲମ ଓଡ଼ିଶାରେ ଚଳିବ ନାହିଁ । ପ୍ରଦେଶ କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ସୂଚେଇ ଦେଉଛି ଏବଂ ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭର ନିଷ୍ପତି ନିଆଯାଇଛି ବୋଲି ଶରତ ପଟ୍ଟନାୟକ କହିଛନ୍ତି । ବକେୟା ବିଲ ଉପରେ ସୁଧ କଷି ଲୋକଙ୍କୁ ଲୁଣ୍ଠନ କରିବା କାମରୁ ଟାଟାପାୱାର ନିବୃତ ରହୁ । ବରିଷ୍ଠ କଂଗ୍ରେସ ନେତା ତଥା ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ବିଭାଗୀୟ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଲେ ମନ୍ତ୍ରୀ ମହୋଦୟଙ୍କୁ ପାୱାର କଟର ପ୍ରକୃତ ସଂଜ୍ଞା ଜଣାନାହିଁ କି? ବିଭାଗୀୟ ମନ୍ତ୍ରୀଙ୍କର ମିଛ କହିବା ଏବଂ ମିଛକୁ ବାରମ୍ବାର କହିବା ଏକ ଦକ୍ଷତା କି? ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ  ଗଣେଶ୍ୱର ବେହେରା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଏ ସରକାର କେବଳ ଭାଷଣ, କଷଣ ଓ ଶୋଷଣର ସରକାର ।

୨୦୦୦ ମସିହା ପୂର୍ବରୁ ବିଦ୍ୟୁତ ରକ୍ଷଣା ବେକ୍ଷଣ କ୍ଷେତ୍ରରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ଆଜି ତାହା ୧୦୦୦ କୋଟିକୁ ପଂହଚିଲାଣି । କିନ୍ତୁ ଅବସ୍ଥା ୨୦୦୦ ମସିହା ପୂର୍ବ ଠାରୁ ଅତ୍ୟନ୍ତ ସଂଗିନ କାହିଁକି? ରାଜ୍ୟ ସରକାର ରାଜଧାନୀ ଅଂଚଳରେ ବିଦ୍ୟୁତ ଭିର୍ତିଭୁମିର ଉନ୍ନତିକରଣ ପାଇଁ ୨୦୦୦ କୋଟି ଟଙ୍କା ଟାଟା ପାୱାରକୁ ଦେଇଛନ୍ତି । କିନ୍ତୁ ସାମାନ୍ୟ ଟିକେ ଖରାଦିନିଆ ମେଘ ପବନରେ ରାଜଧାନୀରେ ୬ ଘଂଟାରୁ ୮ ଘଂଟା ଅନ୍ଧାରରେ । ଏହି ୨୦୦୦ କୋଟି ଟଙ୍କା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁସମାଲୋଚନା କରିଛନ୍ତି ।

Leave A Reply

Your email address will not be published.