ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ପୌରସଂସ୍ଥା ଠାରୁ ଅନୁମୋଦନପ୍ରାପ୍ତ ପ୍ଲାନ୍ ନନେଇ ବର୍ଷ ବର୍ଷ ଧରି ଜାଲ୍ ପ୍ଲାନ୍ରେ କେନ୍ଦ୍ରାପଡ଼ା ସହରାଞ୍ଚଳରେ ଘର ନିର୍ମାଣ ଚାଲିଛି । ବ୍ୟାବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଅନେକ ଆବାସିକ ଗୃହଗୁଡ଼ିକ ବିନା ପ୍ଲାନରେ ନିର୍ମାଣ କରାଯାଉଛି। ପୁରୁଣା ମେଡିକାଲ ରୋଡସ୍ଥିତ ଘରୋଇ ନର୍ସିଂହୋମ ହେଲଥ କେୟାର ହସ୍ପିଟାଲ ଜାଲ୍ ପ୍ଲାନ୍ ଦେଇ ଘର ନିର୍ମାଣ ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ନର୍ସିଂହୋମ୍ କୁ ସିଲ୍ କରିଦିଆଯାଇଛି |
ପୌରନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଓ ପୌରସଂସ୍ଥାର ସିଲ୍ ଜାଲ୍ କରି କାଗଜପତ୍ର ଅଗ୍ନିଶମ ବିଭାଗ କର୍ଯ୍ୟାଳୟରେ ଦାଖଲ କରାଯାଇଥିବା ସଂକ୍ରାନ୍ତରେ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଥିଲା କି, କେନ୍ଦ୍ରାପଡ଼ା ସହର ପୁରୁଣା ମେଡିକାଲ ରୋଡ୍ରେ ଥିବା ହେଲ୍ଥ କେୟାର ନାମକ ଏକ ଘରୋଇ ନସିଂହୋମ୍ର ନୂତନ ନିର୍ମାଣର ଅଗ୍ନି ନିରୋଧକ ପ୍ରମାଣପତ୍ର ହାସଲ ପାଇଁ କଟକ ମଣ୍ଡଳ ଅଗ୍ନିଶମ ବିଭାଗରେ ଆବେଦନ କରାଯାଇଥିଲା।
ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ଲାନ୍ ଅନୁମୋଦନ ପ୍ରମାଣପତ୍ରକୁ ନେଇ ସନ୍ଦେହ ହେବାରୁ ସେ ଏହାର ସତ୍ୟତା ଜାଣିବା ପାଇଁ କେନ୍ଦ୍ରାପଡ଼ା ପୌରସଂସ୍ଥାର ଦୃଷ୍ଟି ଆକର୍ଷଣ କରିଥିଲେ । ତଦନ୍ତ ପରେ ହେଲଥ୍ କେୟାର ଜାଲ୍ ପ୍ଳାନ୍ ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଥିଲା l ପୌର ନିର୍ବାହୀ ଅଧ୍ବକାରୀଙ୍କ ଅଭିଯୋଗ ଆଧାରରେ ଟାଉନ୍ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ହେଲଥ କେୟାର ବର୍ତ୍ତମାନ ଯେଉଁ ବିଲିଂରେ ଅଛି, ତାହାର ପ୍ଲାନ୍ ବୈଧନୁହେଁ, ପୌର ଅଧିକାରୀ ଙ୍କ ଦସ୍ତଖତ ଓ ସିଲ୍ ଜାଲ କରିଥିବା ଜଣା ପଡ଼ିବା ପରେ ନର୍ସିଂହୋମ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଛି |