ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇଛନ୍ତି। ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ଏନ୍ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଖବରପାଇ ଜିଲ୍ଲା ପ୍ରଶାସନ, ରେଳବାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ୱର ଡାକ୍ତରଖାନା ନିଆଯାଉଛି । ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ଲାଗି ପଡିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା ୨୦ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ ପୁଲିସ ସହ ସ୍ଥାନୀୟ ସୋର, ବାହାନଗା ପୁଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ହୋଇଥିବା ବେଳେ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
ହାୱଡା ହେଲ୍ପଲାଇନ୍ ନମ୍ବର ୦୩୩–୨୬୩୮୨୨୧୭,
ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯,
ବାଲେଶ୍ବର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨
ଶାଲିମାର ହେଲ୍ପଲାଇନ୍ ନମ୍ବର ୯୯୦୩୩୭୦୭୪୬।