ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ: ବିଜୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡ଼ର, କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ। ପ୍ରାରମ୍ଭିକ ଭାବରେ ଜଣାପଡୁଛି ଏବଂ କ୍ରାଇମବ୍ରାଞ୍ଚ ଏକ କଭରଅପ ବ୍ରାଞ୍ଚ ଭାବରେ ନିଜକୁ ପ୍ରତିପାଦିତ କରିଛି। କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ ତାହା ହେଲା ନାହିଁ। ମୁଁ ପ୍ରଥମେ ମୋଟିଭ ଅଫ ମର୍ଡର ନେଇ ତଦନ୍ତ ହେଉ ବୋଲି କହିଥିଲି, ସେ ସମ୍ପର୍କରେ ତଦନ୍ତ କରିଛନ୍ତି କି ନାହିଁ କିଛି ଜଣାପଡ଼ୁନି। ଗୋପାଳକୁ ପାଗଳଖାନା ନେବାକୁ କ୍ରାଇମବ୍ରାଞ୍ଚ କହୁଥିଲା, ମିଡିଆ କିମ୍ବା ଲୋକେ କହୁ ନଥିଲେ। ପର୍ଯ୍ୟାୟକ୍ରମେ ବହୁତ ଗୁଡିଏ ଭୁଲ ହୋଇଛି, ସେ ଭୁଲ ସବୁ ସୁଧାରିଛନ୍ତି କି ନାହିଁ, ଠିକ ଭାବେ ତଦନ୍ତ ହୋଇଛି କି ନାହିଁ ଅଧ୍ୟୟନ କଲା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏ ସମ୍ପର୍କରେ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଆଉ ବ୍ୟକ୍ତିଗତ କାରଣରୁ ଗୋପାଳ ନବ ଦାସଙ୍କ ହତ୍ୟା କରିଥିଲା ବୋଲି ଚାର୍ଜସିଟ୍ରେ ଦର୍ଶାଇଛି କ୍ରାଇମବ୍ରାଂଚ । ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ କାହିଁକି ହତ୍ୟା କରିଥିଲା? ହତ୍ୟା ପଛର କାରଣ କଣ? ସେ ନେଇ କ୍ରାଇମବ୍ରାଂଚ ପକ୍ଷରୁ ଚାର୍ଜସିଟ୍ରେ ଯାହା ଉଲେଖ କରାଯାଇଛି, ତାହା ରହସ୍ୟକୁ ଖୋଲିବା ବଦଳରେ ଗୋଳମାଳିଆ କରି ଦେଇଛି । ତେବେ ଗୋପାଳ ମନରେ କାହିଁକି ଏଭଳି ଆକ୍ରୋଶ ସୃଷ୍ଟି ହୋଇଥିଲା, ବା ରାଗ ସୃଷ୍ଟି ହୋଇଥିଲା? କେଉଁ କାରଣ ପାଇଁ ସେ ନବଙ୍କ ପଟୁ ବିପଦ ଆଶଙ୍କା କରୁଥିଲା, ସେ ସମ୍ପର୍କରେ ଚାର୍ଜସିଟରେ କୌଣସି କଥା ଉଲ୍ଲେଖ କରାଯାଇନାହିଁ । ନବ ଦାସ ରାଜ୍ୟ କ୍ୟାବିନେଟର ଜଣେ ବଡ ମନ୍ତ୍ରୀ ଥିଲେ । ଯାହାଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଥିଲା । ପଶ୍ଚିମଓଡିଶାରେ ଯାହାର ଦବଦବା ଥିଲା । ରାତି ପାହିଲେ ଯିଏ ବଡ ବଡ ପୋଲିସ ଅଧିକାରୀଙ୍କ ସହ ଉଠବସ କରୁଥିଲେ । ତାଙ୍କ ସହ ଜଣେ ସାଧାରଣ ଏଏସଆଇ ଅର୍ଥାତ ଗୋପାଳଙ୍କର କି ପ୍ରକାର ବ୍ୟକ୍ତିଗତ ଶତ୍ରୁତା ଥିଲା ? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିି । କେବଳ ଏତିକି ନୁହେଁ ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ଗୋପାଳ କାହିଁକି ବିପଦ ଥିଲା ବୋଲି ଭାବୁଥିଲା? ନବ ଦାସଙ୍କ ସମେତ ଆଉ କେଉଁ ସମର୍ଥକଙ୍କ ପଟୁ ବିପଦ ଥିଲା ବୋଲି ଗୋପାଳ ଆଶଙ୍କା କରୁଥିଲେ? ସେ ନେଇ ମଧ୍ୟ କ୍ରାଇମବ୍ରାଂଚ କିଛି ସୂଚନା ଦେଇନାହିଁ । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.