ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚଳିତ ବର୍ଷ ଦୁର୍ଗାପୂଜା ସବୁଠି ଧୁମଧାମରେ ପାଳନ ହେବାକୁ ଯାଉଛି । କରୋନା କଟକଣା ନଥିବାରୁ ସବୁ ପୂଜା ମଣ୍ଡପରେ ଏହାକୁ ମହାଆଡ଼ମ୍ବରରେ ପାଳନ କରିବାକୁ ଆୟୋଜନ ଚାଲିଛି । ବିଶେଷ କରି ଓଡ଼ିଶାରେ କଟକର ଦୁର୍ଗାପୂଜା ଦେଖିବାକୁ ସାରା ରାଜ୍ୟରୁ ଆସିଥିବା ଲୋକଙ୍କ ଭିଡ଼ ଜମେ । କଟକରେ ଦୁର୍ଗାପୂଜା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଛୁଟି ଆସିଥାନ୍ତି ସିଲଭର ସିଟିକୁ । ତେଣୁ ଏଥର କରୋନା କଟକଣା ନ ଥିବାରୁ ପ୍ରବଳ ଲୋକଙ୍କ ଜନସମାଗମ ହେବା ବୋଲି ଆଶା କରାଯାଉଛି । ଏଥିପାଇଁ ପୋଲିସ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଦେଖିବାକୁ ମିଳିଛି । ଯେପରି କୌଣସି ପ୍ରକାର ଅପ୍ରିତିକର କରିସ୍ଥିିତି ସୃଷ୍ଟି ନହୁଏ, ସେଥିପାଇଁ ସବୁଠି ପ୍ରଶାସନର କଡ଼ା ନଜର ରହିଛି । ଦୂର୍ଗାପୂଜା ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଏଥର ଦୁର୍ଗାପୂଜାରେ ସମ୍ପୂର୍ଣ୍ଣ କଟକ ସହର ସିସିଟିଭି ନଜରରେ ରହିବ । ଏଥିପାଇଁ କମିଶନରେଟ୍ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି । କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଆଧୁନିକ ସିସିଟିଭି ଫୁଟେଜ୍ କଣ୍ଟ୍ରୋଲ ରୁମ୍ ଉଦଘାଟିତ ହୋଇଛି । ଏହି କଣ୍ଟ୍ରୋଲ ରୁମରେ ୨୦୧ ସିସିଟିଭିର ଲାଇଭ୍ ଫୁଟେଜ୍ ଏକସଙ୍ଗରେ ଦେଖିହେବ । ଆଗକୁ ଏହି ସଂଖ୍ୟା ୫୦୦ କୁ ମଧ୍ୟ ବଢାଯିବ । ପୂଜା କମିଟି, ସାହି କମିଟି ଓ ବ୍ୟବାସାୟୀ ସଙ୍ଘର ସହଯୋଗରେ ଲାଗିଛି ସିସିଟିଭି । ଦୁର୍ଗାପୂଜାରେ ଭିଡ଼ ଓ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସିଲଭର ସିଟି କଟକରେ ଏହି ସିସିଟିଭି କ୍ୟାମେରା ସମ୍ପୂର୍ଣ୍ଣ ସହର ଉପରେ ନଜର ରଖିବ ।