ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ, ମଞ୍ଚସ୍ତ ହେଲା ନାଟକ ‘ଏ ଦୁନିଆ ସ୍ୱାର୍ଥପର’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା । ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁ ନିର୍ଦ୍ଦେଶନା ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି । ତେବେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେମାନେ ସମୟ ବାହାର କରି ସାଂସ୍କୃତିକ ପରିଷଦ ମାଧ୍ୟମରେ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବିଭାଗର କାର‌୍ୟ୍ୟଧାରାକୁ ସହଜ କରିବା ପାଇଁ ସମସ୍ତ ସାସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଦଳ ପରିଚାଳନା ଅନ୍ ଲାଇନ୍ ବ୍ୟବସ୍ଥା ଆପଣେଇ ସ୍ୱତଃପ୍ରବୃତ ଭାବେ ପଂଜୀକରଣ କରିବାକୁ କହିଥିଲେ ।

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ ସାଂସ୍କତିକ ପରିଷଦର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ସାସ୍କୃତିକ କାର‌୍ୟ୍ୟକ୍ରମ ସଂସ୍କୃତିପ୍ରେମୀଙ୍କ ପାଇଁ ମନଛୁଆଁ ହେଉ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ ଆମର ଭାଷା ଓ ସାହିତ୍ୟ ଆମର ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିଥିଲେ । ପରିଷଦର ସଭାପତି ଶ୍ରୀ ମାଥିୟାସ ତିର୍କୀ ୧୯୭୯ ମସିହାରୁ ସ୍ଥାପିତ ଏହି ସାଂସ୍କୃତିକ ପରିଷଦ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଥିବା କହିଥିଲେ । କାର‌୍ୟ୍ୟକ୍ରମର ପ୍ରାରମ୍ଭରେ ଚଳିତ ବର୍ଷ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ପୃଷ୍ଟିଙ୍କ ବିୟୋଗର ସ୍ମୃତିରେ ୧ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

ପରିଷଦ ତରଫରୁ ପ୍ରକାଶିତ ସ୍ମରଣିକା “ ସଂସ୍କୃତି ଦର୍ପଣ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସାସ୍କୃତିକ ପରିଷଦ ତରଫରୁ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଓ ବରିଷ୍ଠ ପଦାଧିକାରୀ ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆୟୋଜିତ ପାରଂପରିକ ବେଶ ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହୁଳହୁଳି ଓ ଶଙ୍ଖବାଦନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଗୁରୁ ପ୍ରଦୀପ କୁମାର ଓ ସାଥୀଙ୍କ ପରିଚାଳନାରେ “ବନ୍ଦେ ଉତ୍କଳ ଜନନୀ” ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡଃ.ମୃତ୍ୟୁଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସମସ୍ତ ବରିଷ୍ଠ ପଦାଧିକାରୀ ଏବଂ ପରିଷର ସଂପାଦକ ଶ୍ରୀ ମୃତ୍ୟୁଞ୍ଜୟ ଦଳବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.