ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷାରେ ଭିଜିଲା ଦଶହରା । ଲକ୍ଷ୍ମୀପୂଜାରେ ମଧ୍ୟ ବର୍ଷା ହେଲା, ତଣେୁ ଆଗକୁ ଆସୁଛି କାଳୀପୂଜା । କାଳୀପୂଜାରେ ମଧ୍ୟ ବର୍ଷା ହେବା ନେଇ ଆକଳନ କଲାଣି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ଏଭଳି ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟରେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ଅକ୍ଟୋବର ଦ୍ୱିତୀୟ ସପ୍ତାହ, ଏପରିକି ଦୀପାବଳୀ ସୁଦ୍ଧା ରାଜ୍ୟରେ ମୌସୁମୀ ଫେରିବାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଉତ୍ତରା ପବନ ପ୍ରବାହ କ୍ଷିଣ ରହିଥିବାରୁ ରାଜ୍ୟରେ ଶୀତ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଗତକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ଉପକୂଳ ଓ ତାର ପାଶ୍ୱର୍ବର୍ତୀ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । ତେଣୁ ଦୀପାବଳୀରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।