ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସରେ ନିଆଁ ଲାଗି 25 ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଲଧାନାର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେରେ ଏହି ଦୁଃଖଦ ଘଟଣା ଘଟିଛି । ଯାତ୍ରୀବାହୀ ବସଟି ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା । ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣା ଚିକିତ୍ସା କରାଯିବା ନେଇ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲଧାନ ସହରରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏଥିସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ଓ ଆହତଙ୍କୁ 50 ହଜାର ଲେଖାଏଁ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ । ମୋଟ 33 ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ବସଟି ପହଞ୍ଚିଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ।
ଫଳରେ ବସ ଭିତରେ ଥିବା 25 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରାଯାଇ ବୁଲଧାନା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବୁଲଧାନା ପୋଲିସ ଡେପୁଟି ଏସପି ବାବୁରାଓ ମହାମୁନି କହିଛନ୍ତି,” ବସରେ ମୋଟ 33 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସରେ ନିଆଁ ଲାଗିବାରୁ 25 ଜଣଙ୍କର ମୃତ୍ୟୁ ହୋଇଛି ଓ 8 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁଲଧାନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ତଦନ୍ତ ଚାଲିଛି ।”ତେବେ ନିଆଁ ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା 25 ମୃତକଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ ।
ପୋଲିସର ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଏନେଇ ବଲଧାନା ଏସପି ସୁନୀଲ କାଣ୍ଡସେନା କହିଛନ୍ତି, ”ବସଟି ନାଗପୁରରୁ ପୁଣେ ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ 1ଟା 30 ସମୟରେ ନିଆଁ ଲାଗିଯାଇଥିଲା । ଡ୍ରାଇଭରର କହିବା ମୁତାବକ ଟାୟାର ଫାଟିଯିବା ପରେ ବସରେ ନିଆଁ ଲାଗିଯାଇଥିଲା । ପରେ ଡିଜେଲ ଟାଙ୍କିରେ ନିଆଁରେ ଲାଗିଯାଇଥିଲା ।
ଅଗ୍ନିକାଣ୍ଡରେ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 3ଜଣ ଶିଶୁ ରହିଛନ୍ତି ।