ବାଙ୍କୀ ଗୟଳବାଙ୍କ ଜାରିଆ ଜଙ୍ଗଲରେ ଅଜଗର ଜଣେ ବ୍ୟକ୍ତିଙ୍କୁ ଗିଳି ଦେଇଥିବା ସନ୍ଦେହ,କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୀର୍ଘଚାଳିଶ ବର୍ଷ ଧରି ଗୋଟିଏ ରାସ୍ତାରେ ଯିବା ଆସିବା କରନ୍ତି ମୁଣ୍ଡଳୀ ଥୋରିଆ ପାଟଣା ଗ୍ରାମର ବରିଷ୍ଠ ନାଗରିକ ନନ୍ଦକିଶୋର ବେହେରା। ଏ ହେଉଛି ମୁଣ୍ଡଳୀରୁ ଆଠ କିଲୋମିଟର ଦୂର ବାଙ୍କୀ ଗୟଳବାଙ୍କ ନିକଟସ୍ଥ ଜାରିଆ ନାମକ ଅଞ୍ଚଳ। ଜଙ୍ଗଲ ଭିତରେ ରହିଛି ଏହି ଅଞ୍ଚଳଟି। ଆଜିକୁ ଠିକ ଏଗାର ଦିନ ତଳେ ଗତ ଅଗଷ୍ଟ ୨୮ ତାରିଖରେ ନନ୍ଦକିଶୋର ସବୁଦିନ ପରି ଜାରିଆ ଅଞ୍ଚଳକୁ ବ୍ୟବସାୟ କରିବାକୁ ଯାଇ ଆଉ ଫେରି ନ ଥିଲେ। ଡମପଡା-ଚନ୍ଦକା ଅଭୟାରଣ୍ୟ ଭିତରୁ ମିଳିଥିଲା ତାଙ୍କର ଦୁଇ ଚକିଆ ଯାନ ଚପଲ ଓ ପୋଷାକ। ତେବେ କିଛି ଦୂରରେ ଖାଦ୍ୟ ଗିଳି ସ୍ଥିର ହୋଇ ପଡି ରହିଥିଲା ଏକ ବିରାଟ ଅଜଗର ସାପ। ବେଶ ଫୁଲି ଯାଇଥିଲା ତାର ପେଟ। ଏହାକୁ ଦେଖି ସନ୍ଦେହ କରାଗଲା ଯେ ଅଜଗର ଗିଳି ଦେଇ ଥାଇ ପାରେ ନିଖୋଜ ନନ୍ଦକିଶୋରଙ୍କୁ। ତେବେ ଏ ନେଇ ସ୍ପଷ୍ଟ ଚିତ୍ର ନାହିଁ କାହାରି ପାଖରେ। ନା ଅଜଗରର ପେଟ ଚିରି ହେବ ନା ତାର ପେଟ ପରୀକ୍ଷା ପାଇଁ ନେଇ ହେବ ଅଭୟାରଣ୍ୟ ବାହାରକୁ। ବନ୍ୟଜନ୍ତୁ ସୁରକ୍ଷା ଆଇନ ର ବିରୁଦ୍ଧାଚରଣ କରିବ ଏହି ସବୁ ପଦକ୍ଷେପ। କିନ୍ତୁ ଏପଟେ ନନ୍ଦକିଶୋର ଙ୍କ ପରିବାର ବର୍ଗ ବି କରିବେ କଣ। କାନ୍ଦି କାନ୍ଦି ଆଖିରୁ ଲୁହ ସୁଖି ଗଲାଣି ନନ୍ଦକିଶୋର ଙ୍କର ପତ୍ନୀଙ୍କ। ନା ପୁଅ ଅଛି ନା ଝିଅ। ଏକମାତ୍ର ସାହାରା ନନ୍ଦକିଶୋର ଏବେ ନିଖୋଜ। ଜୀବିତ କି ମୃତ୍ୟୁ ନାହିଁ କୌଣସି ପ୍ରମାଣ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି ପରିବାରବର୍ଗ ତଥା ପାଖ ପଡୋଶୀ।

 

ନନ୍ଦକିଶୋରଙ୍କୁ ଅଜଗର ଗିଳି ଥିବା କଥାଟିକୁ ଅସ୍ବୀକାର କରୁଛି ବନ ବିଭାଗ। ବନ ବିଭାଗ କର୍ମଚାରୀ ଏପର୍ଯ୍ୟନ୍ତ କୋୖଣସି ଅଜଗର କୁ ଦେଖି ନାହାନ୍ତି। କେବଳ ଜଣେ ଫରେଷ୍ଟ ଗାର୍ଡ ରିପୋର୍ଟ କରିଛନ୍ତି ଜଣେ ବ୍ୟକ୍ତି ଙ୍କର ଗାଡି ମିଳିଥିବାର, ଏଵଂ ସେ ନେଇ ବାଙ୍କୀ ପୋଲିସକୁ ଅବଗତ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପୋଲିସ ଏକ ମିସିଙ୍ଗ ରିପୋର୍ଟକୁ ଆଧାର କରି ତଦନ୍ତ କରୁଛି। ଵନ ବିଭାଗ କେବଳ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଉଥିବା ବନ ବିଭାଗ କହିଛି। ଭାଇରାଲ ଫଟ ଟିକୁ ନେଇ କୌଣସି ଠୋସ ତଥ୍ୟ ନାହିଁ ବୋଲି ବନ ବିଭାଗ କହିଛି। ଅଜଗର ସାପ ଯେଉଁଠି ଗିଳିବ ସେହି ଠାରେ ହିଁ ପଡିରହିବ, ଆଗକୁ ଗତି କରିବ ନାହିଁ ବୋଲି ବନ୍ୟ ପ୍ରାଣୀ ବିଶେଷଜ୍ଞ ପ୍ରତିକ୍ରିୟା ରଖିଛନ୍ତି। ହଜମ ହେବା ପରେ ହିଁ ଗତିଶୀଳ ହେବା ସମ୍ଭବ ବୋଲି କହିଛନ୍ତି। ଅଜଗରଟିକୁ କିଏ କେଉଁ ପରିସ୍ଥିତିରେ ଦେଖିଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଭାଇରଲ ଫଟ ଟି କଣ ସତରେ ଏହି ଅଭୟାରଣ୍ୟର ନା ଅନ୍ୟ କୌଣସି ଅଞ୍ଚଳର ତାହା ଏବେ ବଡ଼ ପ୍ରଶ୍ନ।

 

Leave A Reply

Your email address will not be published.