୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବ ଏଫଆଇଏଚ ପୁରୁଷ ହକି ବିଶ୍ୱ କପ୍- ୨୦୨୩: Pool Dରେ ଭାରତ, ଇଂଲଣ୍ଡ, ସ୍ପେନ୍, ୱେଲେସ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ୱ କପ୍- ୨୦୨୩ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ଏବଂ ରାଉରକେଲାରେ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆୟୋଜକ ଓଡିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକସେବା ଭବନର କନଭେନସନ୍ ହଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦଙ୍କ ଉପସ୍ଥିତିରେ ଆଜି ଆୟୋଜିତ ହୋଇଥିଲା ପୁଲ୍ ଡ୍ର ଉତ୍ସବ । କେଉଁ ପୁଲ୍ ରେ କେଉଁ ଦେଶ ଖେଳିବେ ତାହା ନିର୍ଣ୍ଣୟ ହୋଇଛି । ୪ ଟି ପୁଲ୍ ରେ ସମୁଦାୟ ୧୬ ଦେଶ ହକି ବିଶ୍ୱକପ୍ ଖେଳିବେ ।

Pool A : ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା
Pool B : ବେଲଜିୟମ୍, ଜର୍ମାନୀ, କୋରିଆ, ଜାପାନ
Pool C : ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲୟେସିଆ, ଚିଲି
Pool D : ଭାରତ, ଇଂଲଣ୍ଡ, ସ୍ପେନ୍, ୱେଲେସ୍

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ଆମେ ବିଶ୍ୱର ଶ୍ରେଷ୍ଠ ହକି ଟିମ୍ ଏବଂ ଖେଳାଳୀମାନଙ୍କୁ ସ୍ୱାଗତ କରିବାକୁ ଯାଉଛୁ । ସେଥିପାଇଁ ଆମେ ସବୁବେଳେ ଗର୍ବିତ । ୨୦୨୩ ବିଶ୍ୱକପ୍ ପାଇଁ ଆମର ଉତ୍କଣ୍ଠା ଆହୁରି ବଢ଼ିଯାଇଛି । ଅନେକ ଗୌରବର ମୁକସାକ୍ଷୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ପୁଣି ଥରେ ସମସ୍ତଙ୍କୁ ଅପେକ୍ଷା କରିଛି । ରାଉରକେଲାର ସର୍ବବୃହତ୍ତ ବିର୍ସିା ମୁଣ୍ଡା ହକି ଷ୍ଟାଡିୟମ୍ କୁ ମଧ୍ୟ ଆମେ ସମସ୍ତଙ୍କୁ ସ୍ୱାଗତ କରିବା ଅପେକ୍ଷାରେ ଅଛୁ । ହକି ପ୍ରତି ଆମର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତାର ପ୍ରତୀକ ହେଉଛି ଏହି ହକି ଷ୍ଟାଡିୟମ୍ । ବିଶ୍ୱକପ୍ ରେ ଭାଗ ନେଉଥିବା ସବୁ ଟିମ୍ କୁ ସ୍ୱାଗତ ଏବଂ ଶୁଭକାମନା ।

ଏଫଆଇଏଚ କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦ ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହିତ ରାଉରକେଲାର ନବନିର୍ମିତ ହକି ଷ୍ଟାଡିୟମ୍ ର ଭୂୟସୀ ପ୍ରଶଂସା କରିଥିଲେ । ପୁରୁଷ ହକି ବିଶ୍ୱକପ୍ ୧୫ତମ ସଂସ୍କରଣର ଆୟୋଜକ ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏକ ଅଭୁଲା ହକି ସୋ ଆପଣମାନଙ୍କୁ ଅପେକ୍ଷା କରିଛି ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଦସ୍ୟ ଡ. ଏସ ୱାଇ କ୍ୟୁରେସି, ଜାଫର ଇକବାଲ, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର.ଭିନୀଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.