ଓଡ଼ିଆ ନ୍ୟୁଜ୍: ବାଣ ବିସ୍ଫୋରଣ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ରବିବାର ସକାଳେ ଭୟଙ୍କର ବାଣ ବିସ୍ଫୋରଣରେ ସନ୍ତୋଷ ଦାସଙ୍କ ୩୦ ବର୍ଷିୟ ପୁଅ ସୁନିଲ ଗୁରତର ହୋଇଛନ୍ତି। ସେ ବାଣ ଭିଡୁଥିବା ବେଳେ ଗୁରୁତର ହେବା ସହିତ ତାଙ୍କ ଆଜବେଷ୍ଟସ ଘର ଭାଙ୍ଗି ସମ୍ପୂର୍ଣ୍ଣ ଭାବେ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି। ବିସ୍ଫୋରଣର ଶବ୍ଦ ୫ କିମି ଦୂର ପର୍ଯ୍ୟନ୍ତ ଶୁଣା ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବା ଯୋଗୁ ପ୍ରଥମେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶର ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ ପ୍ରଶାସନ ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ୱେ ଏହି ଗ୍ରାମ ସହିତ ଆଖପାଖ ଗ୍ରାମର ସଂଖ୍ୟାଧିକ ଲୋକ ବିନା ସୁରକ୍ଷାରେ ଓ ବିନା ଲାଇସେନ୍ସରେ ବର୍ଷ ତମାମ ବାଣ ଓ ଆତସବାଜି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। କାହିଁ କେଉଁ କାଳରୁ ଏହାକୁ ସେମାନେ କୌଳିକ ବୃତ୍ତି ଭାବରେ ଗ୍ରହଣ କରି ନେଇଛନ୍ତି।