ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୋଟ୍ ଦେଉଛି ଜମ୍ମୁ କଶ୍ମୀର। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ ଓ କଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ଭୋଟ୍ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ।
ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୩,୨୭,୫୮୦ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ମୋଟ୍ ୧୪ ହଜାର ନିର୍ବାଚନ କର୍ମଚାରୀ ଏହି ଭୋଟିଂ ବୁଥ୍ ଦାୟିତ୍ବରେ ଅଛନ୍ତି। ସିପିଏମ୍ର ମହମ୍ମଦ ୟୁସୁଫ ତରିଗାମୀ, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର, ଏନ୍ସିର ସକିନା ଇତୁ ଏବଂ ପିଡିପିର ସରତାଜ ମଦାନୀ ଏବଂ ଅବଦୁଲ ରେହମାନ ବୀରୀ ହେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ।
ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଓ ଶେଷ ତଥା ତୃତୀୟ ପର୍ଯ୍ୟାୟ ଭୋଟ୍ ଅକ୍ଟୋବର ୧ରେ ହେବ। ଆସନ୍ତା ଅକ୍ଟୋବର ୮ ତାରିଖରେ ଜଣାପଡିବ କିଏ ମାରିବ ବାଜି। ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପାଇଁ ଲିଟମସ୍ ଟେଷ୍ଟ। ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି।
Comments are closed.