ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍‌ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମିଳିଛନ୍ତି ନୂଆ ଏସ୍‌ପି। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। କଟକ ଡିସିପିଙ୍କର ମଧ୍ୟ ବଦଳି ହୋଇଛି। ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି।

ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି। ଦ୍ବୈତନଗରୀ ପୁଲିସ କମିସନର ପଦବିରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ(ବିପିଏସ୍‌ପିଏ)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏଡିଜି-ଅପରେସନ୍‌ ଥିଲେ। ସେହିଭଳି ରାଜ୍ୟର ଚର୍ଚ୍ଚିତ ଆଇପିଏସ୍‌ ତଥା କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ‌ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି।

ଅନ୍ୟପକ୍ଷରେ ଜେଲ୍‌ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଏସ୍‌ଏମ୍‌ ନର୍‌ଭଣେଙ୍କୁ ଓଏସ୍‌ଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଅବସ୍ଥାପିତ କରାଯାଇଛି। ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଏସ୍‌ପି କରାଯାଇଛି। ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

Comments are closed.