ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର, କବି ଓ ଶିକ୍ଷାବିତ ହରିହର ମିଶ୍ରଙ୍କ ପରଲୋକ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫ ଦିନ ତଳେ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରୂପକଳ୍ପ ମିଶ୍ର , ପୁତ୍ରବଧୂ ଓ ପତ୍ନୀ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ହରିହର ମିଶ୍ର ୧୯୪୦ ମସିହା ନଭେମ୍ବର ୧୯ ତାରିଖରେ ପୁରୀର ମାର୍କଣ୍ଡେଶ୍ୱର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମଣିରାମ ମିଶ୍ର (ଓରଫ ଚିନ୍ତାମଣି ମିଶ୍ର) ଓ ମାତାଙ୍କ ନାମ ସେବତୀ ଦେବୀ ଥିଲା । ସେ ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି। ସେ ପୁରୀ କଲେଜରେ ଅଧ୍ୟାପନା ବୃତ୍ତିରେ ଥିଲେ । ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ହରିହର ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ର ସଂଳାପ ରଚନା କରିବା ସହ ଏଥିରେ ସହ ନିର୍ଦ୍ଦେଶନା ଦେଇଥିଲେ।

ଏଥିରେ ସେ ଅଭିନୟ ବି କରିଥିଲେ | ବିଶ୍ବନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦ୍ଦେଶିତ ତପସ୍ୟା (୧୯୮୦) ଛବିରେ ତାଙ୍କ ରଚିତ ‘ଢାଳିଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା ଆଜି ବି ଖୁବ୍ ଲୋକପ୍ରିୟ। ପ୍ରଫୁଲ୍ଲ କର ଥିଲେ ଏହାର ସ୍ବରକାର ଓ ଏଥିରେ ଚିତ୍ତ ଜେନା ଓ ବାଣୀ ଜୟରାମ କଣ୍ଠଦାନ କରିଥିଲେ। ସେ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ପୁରସ୍କାର ଲାଭ କରିଥିଲେ।

Comments are closed.