ଆସୁଛି ଆଉ ଏକ ଲଘୁଚାପ; ୭ ଜିଲ୍ଲାକୁ ସତର୍କତା ସୂଚନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୌସୁମୀ ଟ୍ରପ୍‌ ଲାଇନ୍‌ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ଅଗ୍ରସର ହେଉଛି। ସେହିପରି ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ ଉପକୂଳବର୍ତ୍ତୀ ମ୍ୟାନ୍‌ମାର ମଧ୍ୟରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ସୋମବାର ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ | ଏଥିପାଇଁ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ମଙ୍ଗଳବାର-ଗୁରୁବାର ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ପାଇଁ  ୭ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ସତର୍କତା ଜାରି କରାଯାଇଛି।

ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ , ବାଲେଶ୍ଵର, କୋରାପୁଟ, ରାୟଗଡା , ଗଜପତି ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି। ସେପଟେ ଲଘୁଚାପ ପ୍ରଭାବରେ ଆଜି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ରାଜଧାନୀରେ ପବନ ବହିବା ସହିତ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ବୌଦ୍ଧରେ ସବୁଠୁ ଅଧିକ ୬୪ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବର ୧୫.୨, ଦାରିଙ୍ଗବାଡି ୧୨, ନୂଆପଡାରେ ୧୪.୪ମି.ମି ବର୍ଷା ରେକର୍ଡ ହୋଇଛି।

Comments are closed.