ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ । ମଙ୍ଗଳବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ଶିରୋମଣି ଅକାଳି ଦଳର ପ୍ରତିଷ୍ଠାତା ହେଉଛନ୍ତି ପ୍ରକାଶ ସିଂ ବାଦଲ । ନିକଟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ବାର୍ଦ୍ଧକ୍ୟ ଜନତି ସମସ୍ୟାରେ ସେ ପୀଡ଼ିତ ଥିଲେ ମଧ୍ୟ ରାଜନୀତିରେ ରୁଚି ରଖୁଥିଲେ ଏହି ଭେଟେରାନ ନେତା । ତାଙ୍କର ବିୟୋଗ ପରେ ପଞ୍ଜାବ ରାଜନୀତିରେ ଗୋଟିଏ ବଡ଼ ଶୂନ୍ୟସ୍ଥାନ ଦେଖାଦେଇଛି । ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାଦଲଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ପଞ୍ଜାବର ପାଞ୍ଚଥର ମୁଖ୍ୟମନ୍ତ୍ରୀ ୯୫ ବର୍ଷୀୟ ବାଦଲଙ୍କୁ ମଧ୍ୟ ଗତ ବର୍ଷ ଜୁନ୍ ମାସରେ ଗ୍ୟାଷ୍ଟ୍ରାଇଟିସ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଷ୍ଟ-କୋଭିଡ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଫେବୃଆରୀ
୨୦୨୨ ରେ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଗତ ବର୍ଷ ଜାନୁଆରୀରେ ବାଦଲ କରୋନା ସଂକ୍ରମିତ ହୋଇ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରକାଶ ସିଂ ବାଦଲ ଦେଶର ସବୁଠାରୁ ଅଭିଜ୍ଞ ନେତା ମଧ୍ୟରୁ ଅନ୍ୟତମ ଥିଲେ। ପ୍ରକାଶ ସିଂ ବାଦଲଙ୍କ ରାଜନୈତିକ କ୍ୟାରିୟର ଦେଶ ସ୍ୱାଧୀନ ହେବା ପୂର୍ବରୁ ଆରମ୍ଭ ହୋଇଥିଲା । ସେ ୧୯୪୭ ରେ ସରପଞ୍ଚ ଭାବରେ ପ୍ରଥମେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ବ୍ଲକ୍ ମୁଖ୍ୟ ହୋଇଥିଲେ ଏବଂ ଶିରୋମଣି ଅକାଳି ଟିକେଟରେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରକାଶ ସିଂହ ବାଦଲ ଶିରୋମଣି ଅକାଳି ଦଳର ପ୍ରଥମ ବିଧାୟକ ଥିଲେ । ସେ ମୋଟ ୧୦ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୭୦ ରେ ପ୍ରଥମ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଶିରୋମଣି ଅକାଳି ଦଳ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏର ସହଯୋଗୀ ଦଳ ଥିଲା । କିନ୍ତୁ ସଂସଦରେ ତିନି କୃଷି ବିଲ୍ ପାରିତ ହେବା ପରେ ୨୦୦୦ ସେପ୍ଟେମ୍ବରରେ ଏନଡିଏରୁ ଓହରି ଯାଇଥିଲା ପଞ୍ଜାବର ଏହି ଦଳ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେଇଥିଲେ । ପରେ କିନ୍ତୁ କେନ୍ଦ୍ରର ମୋଦୀ ସରକାର ତିନି କୃଷି ବିଲକୁ ରଦ୍ଦ କରିଥିଲେ । ଶ୍ରୀ ବାଦଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି । ଏକ ଟୁଇଟ୍ କରିମୋଦୀ ଲେଖିଛନ୍ତି ଯେ ସେ ଭାରତୀୟ ରାଜନୀତିରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଥିଲେ ଓ ଜଣେ ରାଷ୍ଟ୍ରନେତା ଥିଲେ । ସେ ପଞ୍ଜାବର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ବାଦଲଙ୍କ ପରଲୋକ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏକ କ୍ଷତି ବୋଲି ମୋଦୀ ଲେଖିଛନ୍ତି ।