ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):କଟକ ସହରର ବହୁ ଚର୍ଚ୍ଚିତ ଧଳସାମନ୍ତ ଭ୍ରାତା ସୁଶୀଳ ଧଳସାମନ୍ତ, ସୁଶାନ୍ତ କୁମାର ଧଳସାମନ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ଏହି ମାମଲା ପରିଚାଳନା କରୁଥିଲେ। ଟେଣ୍ଡର ଫିକ୍ସିଙ୍ଗ ନେଇ ମର୍କତନଗର ଥାନା ପକ୍ଷରୁ ଦୁଇ ଭାଇ ସୁଶୀଳ ଧଳସାମନ୍ତ, ସୁଶାନ୍ତ କୁମାର ଧଳସାମନ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେହିପରି ଆଉ ଏକ ଟେଣ୍ଡର ଫିକ୍ସିଙ୍ଗ ମାମଲାରେ ଚାଉଳିଆଗଞ୍ଜ ଥାନା ପକ୍ଷରୁ ଦୁଇ ଭାଇଙ୍କ ନାମରେ ମାମଲା ହୋଇଥିଲା।
ଚାଉଳିଆଗଞ୍ଜ ଥାନାରେ ଟେଣ୍ଡର୍ ଫିକ୍ସିଂ, ଦାଦାବଟି, ଷଡ଼୍ଯନ୍ତ୍ର, ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ନେଇ ମାମଲା ରୁଜୁ ହୋଇଥିଲା। ଏଭଳି ମାମଲା ସହ ଚାଉଳିଆଗଞ୍ଜ ଥାନା ନୂଆବଜାର ମାଛ ମାର୍କେଟ୍ରେ ୨୦୦୯ ଡିସେମ୍ବରରେ ହତ୍ୟାର ଶିକାର ହୋଇଥିଲେ ଅନିରୁଦ୍ଧ ସେଠୀ ଓରଫ୍ ଟିଟୁଆ। ଟିଟୁଆ ହତ୍ୟା ମାମଲାରେ ଚାଉଳିଆଗଞ୍ଜ ଥାନା ପକ୍ଷରୁ ସୁଶାନ୍ତ, ସୁଶୀଲ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାରେ ନିୟମିତ ଜାମିନ ପାଇଁ ଦୁଇ ଭାଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।